Onn 3

ନବୀନ ସରକାରଙ୍କୁ ଆପ୍‌ର ଟାର୍ଗେଟ, ଫିରିଙ୍ଗିଆ ଥାନା ପୋଡ଼ିର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି

Politics State

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଏପର୍ଯ୍ୟନ୍ତ ୧୯ଜଣ ଗିରଫ ହୋଇଥିବା ବେଳେ ଫିରିଙ୍ଗିଆ ଥାନା ପୋଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଆପ୍ ପକ୍ଷରୁ ଦାବି କରାଯାଇଛି। ଆପ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାରେ ନିରୀହ, ଆଦିବାସୀ, ଦଳିତଙ୍କ ଉପରେ ପୋଲିସ ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗ ଆଣିବା ସହ ଏହାକୁ ଓଡ଼ିଶା ପକ୍ଷରୁ ଦୃଢ଼ ନିନ୍ଦା କରିବା ଏବଂ ମଣିପୁର ଘଟଣା ସହ ଏହି ଘଟଣାକୁ ତୁଳନା କରିଛି ଆପ୍। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆପ୍ ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ର, ଭୁବନେଶ୍ଵର ସଭାପତି ଜୟସୂର୍ଯ୍ୟ କାନୁନଗୋ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ଯେଉଁଭଳି ଭାବେ ଥାନା ଭିତରେ ଗଞ୍ଜେଇ ବେପାର ଚାଲିଛି ଏବଂ ପରବର୍ତ୍ତୀ ସମୟରେ ପୋଲିସ ସାଧାରଣ ଆଦିବାସୀ ଜନତାଙ୍କ ଉପରେ ଯେଉଁପରି ବର୍ବର ଦମନଲୀଳା କରିଛି ତାହା ମଣିପୁରର ପୋଲିସ ବ୍ୟବହାର ସହିତ ସମାନ। ନବୀନ ବାବୁଙ୍କ ସମୟରେ ଗଞ୍ଜେଇ ଏବଂ ନିଶାଦ୍ରବ୍ୟର ବ୍ୟବହାର ବୃଦ୍ଧି ପାଇବା ଏବଂ ସେଥିରେ ପୋଲିସ ପ୍ରଶାସନ ସିଧାସଳଖ ସମ୍ପୃକ୍ତ ରହିବା ଓଡ଼ିଶା ପାଇଁ ଅତ୍ୟନ୍ତ ଲଜ୍ୟାଜନକ ଘଟଣା। ଏଥିପାଇଁ ବିଜୁ ଜନତା ଦଳ ଏବଂ ଏହାର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉତ୍ତର ରଖିବା ଆବଶ୍ୟକ ବୋଲି ଆପ୍ କହିଛି।

ଗଣତନ୍ତ୍ର ବିରୋଧୀ, ସଂଘୀୟ ବ୍ୟବସ୍ଥା ବିରୋଧୀ ଏବଂ ସମ୍ବିଧାନ ବିରୋଧୀ ଦିଲ୍ଲୀ ବିଲକୁ ସମର୍ଥନ କରି ନବୀନ ପଟ୍ଟନାୟକ ନିଜର ମୁଖା ଖୋଲି ଦେଇଛନ୍ତି ବୋଲି ଆପ୍ କହିଛି। ଦିଲ୍ଲୀବାସୀଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହିତ ମଣିପୁର ହିଂସାରେ କେନ୍ଦ୍ରର ବିଜେପି ସରକାର ପ୍ରତି ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରି ସେ ବିଜେପି ଏବଂ ବିଜେଡ଼ି ମଧ୍ୟରେ ଥିବା ମେଣ୍ଟକୁ ମୋହର ମାରି ସ୍ୱୀକୃତି ଦେଇଛନ୍ତି। ବର୍ତ୍ତମାନ ଓଡ଼ିଶାବାସୀଙ୍କୁ ସେ ସ୍ପଷ୍ଟ କରିବା ଉଚିତ୍ ଯେ ତାଙ୍କର ବିଜେପି ସହିତ ଲୋକ ଦେଖାଣିଆ ଲଢେଇ ତାଙ୍କର ପ୍ରକୃତ ଚେହେରା ନୁହଁ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଯେଉଁ ପରି ଭାବରେ ସ୍ପଷ୍ଟ ଦିବାଲୋକରେ ବିଦ୍ୟୁତ୍ ମିଟର ରିଡରଙ୍କୁ ଜଣେ ଉପଭୋକ୍ତା ହତ୍ୟାକଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଦ୍ୟୁତବିଲକୁ ନେଇ ସାଧାରଣ ଜନତା ଭିତରେ ସରକାର ଏବଂ ଟାଟା କମ୍ପାନୀ ପ୍ରତି ପ୍ରବଳ ରାଗ ରହିଛି। ଅହେତୁକ ଦରବୃଦ୍ଧି ଏବଂ ବିଜୁଳି ବିଭ୍ରାଟ ଲୋକମାନଙ୍କୁ ହନ୍ତସନ୍ତ କରୁଛି। ଆମ୍ ଆଦ୍‌ମୀ ପାର୍ଟି ଦୀର୍ଘଦିନରୁ ୨୦୦ ୟୁନିଟ୍ ଫ୍ରି ବିଜୁଳି ପାଇଁ ଆନ୍ଦୋଳନ କରୁଛି। ଆପ୍ ପୁନଶ୍ଚ ସମସ୍ତ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ଫ୍ରି ବିଜୁଳି ପାଇଁ ଦାବି କରିବା ସହିତ ମୃତକ ବିଦ୍ୟୁତ ରିଡରଙ୍କ ପରିବାରଙ୍କୁ ଦଶ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ଆପ୍ ପକ୍ଷରୁ ଦାବି ହୋଇଛି।