Onn 3

ଟମାଟୋ କ୍ଷେତରେ ସିସିଟିଭି କ୍ୟାମେରା

National & International

ମୁମ୍ବାଇ : ଟମାଟୋ ଦର ଦେଶରେ ଏବେ ଆକାଶଛୁଆଁ ହୋଇଯାଇଛି । ଏହାଫଳରେ ଚାଷୀମାନେ ମାଲାମାଲ ହୋଇଯାଉଛନ୍ତି । ତେବେ ଚୋରମାନେ ବି ପରିସ୍ଥିତିରେ ଫାଇଦା ନେଇ ଚାଷୀଙ୍କ ଟମାଟୋ ଫସଲ ଚୋରି କରିନେଉଛନ୍ତି । ଏହାଦ୍ବାରା ଚାଷୀମାନେ କ୍ଷତି ସହୁଛନ୍ତି । ଏହାର ଏକ ସମାଧାନ ବାହାର କରିଛନ୍ତି ମହାରାଷ୍ଟ୍ର ଔରଙ୍ଗାବାଦର ଚାଷୀ ଶରଦ ରାଓଟେ ।

ରାଓଟେ କହନ୍ତି ବଜାରରେ ଏବେ ଟମାଟୋର ପ୍ରବଳ ଚାହିଦା । ଏବେ ୨୨ରୁ ୨୫ କେଜି ଟମାଟୋ ୩ ହଜାର ଟଙ୍କାରେ ବିକ୍ରି ହେଉଛି। ତାଙ୍କର ଚାଷ ପାଞ୍ଚ ଏକର ଜମିରେ ପରିବ୍ୟାପ୍ତ ଏବଂ ସେ ଦେଢ଼ ଏକର ଜମିରେ ଟମାଟୋ ଚାଷ କରିଛନ୍ତି, ଯାହା ତାଙ୍କୁ ସହଜରେ ୬-୭ ଲକ୍ଷ ଟଙ୍କା ରୋଜଗାର ଦେଇପାରିବ । କିନ୍ତୁ ଟମାଟୋ ଚୋରଙ୍କୁ ନେଇ ସେ ଚିନ୍ତିତ ଅଛନ୍ତି ‌ବୋଲି ରାଓଟେ କହିଛନ୍ତି।

ସେ କହିଛନ୍ତି, ପ୍ରାୟ ୧୦ ଦିନ ତଳେ ଗଙ୍ଗାପୁର ତାଲୁକାରେ ଥିବା ତାଙ୍କ ଜମିରୁ ଟମାଟୋ ଚୋରି ହୋଇଥିଲା। ଏହାଯୋଗୁଁ ସେ ବଡ଼ଧରଣର କ୍ଷତି ସହିଥିଲେ । ଆଗକୁ ଯେପରି ଚୋରି ନହୁଏ ସେଥିପାଇଁ ସେ ୨୨ ହଜାର ଟଙ୍କା ବ୍ୟୟ କରି ସିସିଟିଭି କ୍ୟାମେରା ଲଗାଇଛନ୍ତି । କ୍ୟାମେରା ସୌର ଶକ୍ତିରେ ଚାଲୁଛି । ସେ ନିଜ ଫୋନରେ ଯେକୌଣସି ସ୍ଥାନରେ ଟମାଟୋ କ୍ଷେତର ଅବସ୍ଥା ଦେଖିପାରୁଛନ୍ତି ଓ ଚୋରମାନଙ୍କ ଉପରେ ନଜର ରଖିପାରୁଛନ୍ତି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।