Onn 3

ଜୁନରେ ସବୁଠୁ ଶସ୍ତାରେ ରୁଷ ତେଲ କିଣିଥିଲା ଭାରତ; ତେଲ କମ୍ପାନି ମାଲାମାଲ, କିନ୍ତୁ ଗ୍ରାହକ ହତାଶ

National & International

ନୂଆଦିଲ୍ଲୀ: ଗତ ବର୍ଷଠାରୁ ଚାଲିଥିବା ଯୁଦ୍ଧ ଯୋଗୁଁ ରୁଷ ଓ ୟୁକ୍ରେନ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଠାରୁ ଅଧିକ ଲାଭବାନ ହୋଇଛି ଭାରତ । ଭାରତ ରୁଷଠାରୁ ଶସ୍ତାରେ ତେଲ କିଣିଚାଲିଛି। ଆମେରିକା ଓ ୟୁରୋପୀୟ ଦେଶ ରୁଷ ଉପରେ କଟକଣା ଲଗାଇବା ପରେ ରୁଷ ପକ୍ଷରୁ ଭାରତ ଓ ଅନ୍ୟ ଦେଶମାନଙ୍କୁ ଶସ୍ତାରେ ତେଲ ଯୋଗାଇ ଦିଆଗଲା । ତେବେ ଗତ ଜୁନ ମାସରେ ସବୁଠାରୁ ଶସ୍ତାରେ ତେଲ ପାଇଥିଲା ଭାରତ ।
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଋଷିଆରୁ ଭାରତକୁ ଆସୁଥିବା ଅଶୋଧିତ ତୈଳର ହାରାହାରି ମୂଲ୍ୟ ଜୁନ୍ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା । ଏହାର ମୂଲ୍ୟ ବ୍ୟାରେଲ ପିଛା ମାତ୍ର ୬୮.୧୭ ଡଲାର ଥିଲା, ଯେଉଁଥିରେ ପରିବହନ ଖର୍ଚ୍ଚ ଅନ୍ତର୍ଭୁକ୍ତ ଥିଲା । ଗତ ମେ ମାସରେ ରୁଷିଆରୁ ଆସୁଥିବା ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୭୦.୧୭ ଡଲାର ଥିଲା।
ଜୁନ୍ ମାସରେ ରୁଷିଆରୁ ଅଶୋଧିତ ତୈଳ ଭାରତ ପାଇଁ କେତେ ଶସ୍ତା ଥିଲା ତାହା ଜାଣିବା ପାଇଁ ଆମେ କିଛି ତଥ୍ୟ ଉପରେ ନଜର ପକାଇବା । ଜୁନ୍ ମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୮୦ ଡଲାର ଥିଲା, ଯେଉଁଥିରେ ପରିବହନ ଖର୍ଚ୍ଚ ଅନ୍ତର୍ଭୁକ୍ତ ନୁହେଁ । ଅର୍ଥାତ୍ ପରିବହନ ଖର୍ଚ୍ଚ ମିଶାଇଲେ ତାହା ଆହୁରି ଅଧିକ ହେବ । ଏଦୃଷ୍ଟିରୁ ଦେଖିଲେ ଭାରତ ରୁଷରୁ ତେଲ କିଣି ଅନ୍ତର୍ଜାତୀୟ ବଜାରର ମୂଲ୍ୟ ତୁଳନାରେ ବ୍ୟାରେଲ ପିଛା ୧୫ରୁ ୨୦ ଡଲାର ସଞ୍ଚୟ କରିଛି। ସେହିଭଳି ବର୍ଷକ ତଳେ ଭାରତ ରୁଷିଆଠାରୁ ବ୍ୟାରେଲ ପିଛା ୧୦୦.୪୮ ଡଲାର ମୂଲ୍ୟରେ ଅଶୋଧିତ ତୈଳ ପାଉଥିଲା। ଫଳରେ ଭାରତକୁ ମିଳିଥିବା ଅଶୋଧିତ ତୈଳ ଦର ବର୍ଷକ ମଧ୍ୟରେ ଦେଢ଼ ଗୁଣ ହ୍ରାସ ପାଇଛି।
ତେବେ ଶସ୍ତା ତେଲର ଲାଭ ତେଲ କମ୍ପାନି ହିଁ ପାଉଛନ୍ତି ଓ ଭାରତର ସାଧାରଣ ଗ୍ରାହକ ଉଚ୍ଚ ଦାମରେ ତେଲ କିଣୁଛନ୍ତି । ଦେଶରେ ଏବେ ପେଟ୍ରୋଲ ଦର ୧୦୦ ଉପରେ ରହିଛି । ଏହା ଦ୍ବାରା ଜନ ଅସନ୍ତୋଷ ବଢିବାରେ ଲାଗିଛି ।