Onn 3

ଜଷ୍ଟିସ ମୁରଲୀଧର ନେଲେ ଅବସର, ମଙ୍ଗଳବାର ଶପଥ ଗ୍ରହଣ କରିବେ ଜଷ୍ଟିସ ତାଳପତ୍ର

State

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ  ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଶୁଭାଶିଷ ତାଳପାତ୍ର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଜଷ୍ଟିସ ତାଳପତ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ନେଇ ସୂଚନା ମିଳିଛି।

ବିଦାୟୀ ମୁଖ୍ୟ ବିଚାରପତି ମୁରଲୀଧର ୨୦୨୧ ଜାନୁଆରି ୪ ତାରିଖରେ ଓଡ଼ିଶା ହାଇକୋର୍ଟରେ ଯୋଗ ଦେଇଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ରାଜ୍ୟ ନ୍ୟାୟିକ ବ୍ୟବସ୍ଥାରେ ନୂଆ ବ୍ୟବସ୍ଥା ସମେତ ଅନେକ ପଦକ୍ଷେପ ନେଇଥିଲେ। ସେ ରାଜ୍ୟର ପ୍ରଥମ ମୁଖ୍ୟ ବିଚାରପତିଙ୍କ କୋର୍ଟ ସହିତ ପେପରଲେସ୍ ବା କାଗଜବିହୀନ କୋର୍ଟର ପ୍ରଚଳନ କରିଥିଲେ।

ଚଳିତ ବର୍ଷ ଏପ୍ରିଲ ୫ ତାରିଖରେ ଇ-ଫାଇଲିଂ ଓ୍ୱେବ ପୋର୍ଟାଲର ଉଦଘାଟନ, ରାଜ୍ୟରେ ୨୦ଟି ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା, ଅଗଷ୍ଟ ୨ରୁ ହାଇକୋର୍ଟର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ମାମଲାର ଶୁଣାଣିର ସିଧା ପ୍ରସାରଣ, ଫଳପ୍ରଦ ସଂରକ୍ଷଣ ପାଇଁ ରେକର୍ଡର ଡିଜିଟାଇଜେସନ୍, ନ୍ୟାୟିକ ଅଭିଲେଖାଗାର ଏବଂ ମ୍ୟୁଜିୟମ ଅଫ୍ ଜଷ୍ଟିସ୍ ପ୍ରତିଷ୍ଠା ହେଉଛି ଜଷ୍ଟିସ୍ ଏସ୍ ମୁରଲୀଧରଙ୍କ ଉଲ୍ଲେଖନୀୟ ଅବଦାନ।

ତୃତୀୟ ପର୍ଯ୍ୟାୟରେ ୫୭ଟି ପେପରଲେସ୍ କୋର୍ଟ ଓ କଟକରେ ନୂଆ ଭାବେ ପ୍ରତିଷ୍ଠା ହୋଇଥିବା ୪ଟି ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ପୁରୀ, ଯାଜପୁର ଓ ଭୁବନେଶ୍ୱର ପୋକ୍ସୋ ଆକ୍ଟ ଏବଂ ଦୁଷ୍କର୍ମ ମାମଲାଗୁଡ଼ିକର ମୁକାବିଲା ପାଇଁ ଅଗଷ୍ଟ ୧ ତାରିଖରେ ଭର୍ଚୁଆଲ ମୋଡରେ ଜଷ୍ଟିସ୍ ମୁରଲୀଧରଙ୍କ ଉପସ୍ଥିତିରେ ଜଷ୍ଟିସ୍ ଶୁଭାଶିଷ ତାଳପାତ୍ର ଉଦଘାଟନ କରିଥିଲେ।

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପାତ୍ରଙ୍କ ନାମ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ୧୫ ନଭେମ୍ବର ୨୦୧୧ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ୨୦୧୩ରେ ତ୍ରିପୁରାରେ ଏକ ସ୍ୱତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ସେ ନିଜର ମୂଳ ହାଇକୋର୍ଟ ଭାବେ ତ୍ରିପୁରା ହାଇକୋର୍ଟକୁ ବାଛିଥିଲେ। ସେ ଜୁନ ୧୦, ୨୦୨୨ ରୁ ଓଡିଶା ହାଇକୋର୍ଟରେ ବଦଳି ହେବା ପରେ କାର୍ଯ୍ୟ କରୁଛନ୍ତି।