Onn 3

ଏନୱାଇପି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଆୟୋଜିତ!

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଧୀନତା ଦିବସ ମହାଡ଼ମ୍ବରରେ ପାଳନ କରାଯିବା ପାଇଁ ସ୍ଥିରିକୃତ ହୋଇଛି। ସେହିପରି ପ୍ରତ୍ୟେକ ବର୍ଷପରି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ସେମାନଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ତେବେ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟକୁ ମଧ୍ୟ ପୁର୍ବପରି ବକ୍ତୃତା ପ୍ରତିଯୋଗିତା କରାଇବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନାପତ୍ର ପ୍ରକାଶ କରାଯାଇଥିଲା। ସୂଚନା ମୁତାବକ ଆଜି ଅପରାହ୍ନ ୧ଟା ସମୟରେ ବାରିପଦା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ସଭାଗୃହରେ ଏନୱାଇପି ମୟୁରଭଞ୍ଜ ୟୁନିଟ ତରଫରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କୁ ନେଇ ବକ୍ତୃତା ପ୍ରତଯୋଗୀତା ଆୟୋଜିତ ହୋଇଯାଇଛି।ଜିଲ୍ଲା ସଭାପତି କୁଞ୍ଜ ବିହାରୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଜିଓଲୋଜି ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ସତ୍ୟସ୍ୱରୂପ ବେହେରା,ଜିଓଗ୍ରାଫି ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ରମ୍ୟରଞ୍ଜନ ବେହେରା, କେମେଷ୍ଟ୍ରି ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ଡ଼ ସରୋଜ କୁମାର ନାୟକ ପ୍ରମୁଖ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହିଳା ମହାବିଦ୍ୟାଳୟର ପ୍ରଧ୍ୟାପିକା ଡ଼ ସ୍ୱାଗତିକା ସିଂ, କଣ୍ଟାପାଳ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ମଞ୍ଚାସିନ ହୋଇଥିଲେ।

ବିଭିନ୍ନ ସ୍କୁଲ କଲେଜରୁ ଆସିଥିବା ଛାତ୍ରଛାତ୍ରୀ ମାନେ” ଶିମିଳିପାଳର ସୁରକ୍ଷା ଦିଗରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ରହିବା ଉଚିତ କି?” ବିଷୟରେ ନିଜ ନିଜର ମତ ଦେଇଥିଲେ। ସେଥିମଧ୍ୟରୁ ଓଏଭି ସାନମଉଦା ରାଇରଙ୍ଗପୁରର ଛାତ୍ରୀ ଜେ.ବିଶାଲାକ୍ସି ପ୍ରଥମ, ବାରିପଦା ଶିଶୁ ବିଦ୍ୟାମନ୍ଦିର ଜି. କିରଣ ତେଜସ୍ୱିନୀ ଦ୍ଵିତୀୟ ଓ ଝାରପୋଖରୀଆ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ଛାତ୍ରୀ ଇତିଶ୍ରୀ ଗିରି ତୃତୀୟ ସ୍ଥାନ ହାସଲ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଅଗଷ୍ଟ୧୫ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସଦଭାବନା ଗୃହରେ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏନୱାଇପି ଉପସଭାପତି ଅଧ୍ୟାପକ ଅଶୋକ ପୃଷ୍ଟି ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂଯୋଜକ ମଳୟ କୁମାର ନାୟକ ସ୍ୱାଗତ ଓ ଧନ୍ୟବାଦ ଜ୍ଞାପନ କରିଥିଲେ ସେହିପରି ବରିଷ୍ଠ ସଦସ୍ୟ ସୁବିର କୁମାର ପରିଡା, ଲମ୍ବୋଦର ନାଏକ, ମାନସ ପୃଷ୍ଟି, ଭାନୁପ୍ରିୟା ମହାନ୍ତ, ଅଶ୍ୱିନୀ କୁମାର ମହାନ୍ତ, ସ୍ୱାଧୀନ କୁମାର ପରିଡା, ମଧୁବାଲା ରାୟ, ପୂଜା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲାର ପ୍ରମୁଖ ସମାଜସେବୀ ସଙ୍ଗଠନ ଏନୱାଇପି ବର୍ଷ ତମାମ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବା ନେଇ ଉପସ୍ଥିତ ଅତିଥିମାନେ ଧନ୍ୟବାଦ ଜ୍ଞାପନ କରିଥିଲେ।