Onn 3

ନୁହ ହିଂସା : ୧୧୬ ଗିରଫ, ୯୦ ଅଟକ; ୧୯ ଜଣଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହେପାଜତକୁ ପଠାଇଲେ ଅଦାଲତ

National & International

ନୁହ: ହରିୟାଣାର ନୁହ ସାଂପ୍ରଦାୟିକ ହିଂସା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ୧୯ ଜଣଙ୍କୁ ଆଜି ସ୍ଥାନୀୟ ଅଦାଲତରେ ପେଶ୍ କରିଥିଲା। ମାମଲାର ଶୁଣାଣି କରି ଅଦାଲତ ସେମାନଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହି ମାମଲାରେ ପୁଲିସ ୧୧୬ ଜଣଙ୍କୁ ଗିରଫ କରିଥିବା ବେଳେ ୯୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୋମବାର ହରିୟାଣାର ନୁହ ଜିଲ୍ଲାରେ ହୋଇଥିବା ଦଙ୍ଗାରେ ଦୁଇ ହୋମଗାର୍ଡଙ୍କ ସହ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ପାଖାପାଖି ୭୦୦ ଲୋକ ଏକାଠି ହୋଇ ଏକ ଧାର୍ମିକ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିବା ସହିତ ଯାନବାହନ ଓ ଦୋକାନବଜାର ପୋଡ଼ାଜଳା କରିଥିଲେ।
ଦଙ୍ଗା ନେଇ ହରିୟାଣା ପୁଲିସ ଦ୍ୱାରା ରୁଜୁ ହୋଇଥିବା ଏଫଆଇଆରରୁ ଜଣାପଡୁଛି ଯେ ପୁଲିସ ଉପରେ ଆକ୍ରମଣ କରିବା ପାଇଁ ଏକ ସୁପରିକଳ୍ପିତ ଷଡଯନ୍ତ୍ର କରାଯାଇଥିଲା । ଖାଲି ସେତିକି ନୁହେଁ, ‘ପୁଲିସ କର୍ମଚାରୀଙ୍କୁ ଜୀବନ୍ତ ଜାଳିଦେବା’ ପାଇଁ ଧମକ ମଧ୍ୟ ଦିଆଯାଇଥିଲା । ଏତଲାରେ ଦର୍ଶାଯାଇଛି ଯେ ନୁହର ବିଭିନ୍ନ ସ୍ଥାନରେ ଶତାଧିକ ଲୋକ ମାରାତ୍ମକ ଉଦ୍ଦେଶ୍ୟ ରଖି ପୁଲିସ ଉପରେ ଆକ୍ରମଣ କରିଥିଲେ ।
ସାଇବର ସେଲ୍ ଥାନା ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଏକ ଏତଲାରେ ଦର୍ଶାଯାଇଛି ଯେ ଶତାଧିକ ଲୋକ ଏହାକୁ ଘେରାଉ କରିଥିଲେ, ପଥର ମାଡ଼ କରିଥିଲେ ଏବଂ ସ୍ଲୋଗାନ ଦେଇଥିଲେ ଯେ ସେମାନେ ପୁଲିସ କର୍ମଚାରୀଙ୍କୁ ଜୀବନ୍ତ ଜାଳି ଦେବେ। ଏହାପରେ ବିକ୍ଷୋଭକାରୀମାନେ ବସ୍ ଯୋଗେ ଥାନାର ମୁଖ୍ୟ ଫାଟକ ଓ କାନ୍ଥ ଭାଙ୍ଗି ଅଫିସ୍ ଉପରକୁ ଚଢ଼ି ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ପୁଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ ।
ଦଙ୍ଗାକାରୀଙ୍କୁ ଘଉଡ଼େଇବାକୁ ପୁଲିସ କର୍ମଚାରୀମାନେ ପ୍ରଥମେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଏବଂ ପରେ ଆତ୍ମରକ୍ଷା ପାଇଁ ପୁଲିସକୁ ୧୦୦ରାଉଣ୍ଡରୁ ଅଧିକ ଗୁଳି ଚଳାଇବାକୁ ପଡ଼ିଥିଲା। ଅତିରିକ୍ତ ସୁରକ୍ଷା ବାହିନୀ ପହଞ୍ଚିବା ପରେ ବିକ୍ଷୋଭକାରୀମାନେ ଚାଲି ଯାଇଥିଲେ, କିନ୍ତୁ ତା’ ପୂର୍ବରୁ ଥାନା ପରିସରରେ ଥିବା ୧୫ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।