Onn 3

ପୋଲ ଉପରେ ୫ଫୁଟର ବନ୍ୟାଜଳ; ସୁଆକାଟି-ରାଉରକେଲା ଯୋଗାଯୋଗ ବିଚ୍ଛିନ୍ନ

State

ବାଂଶପାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲ୍ଲା ବାଂଶପାଳ ସିଂପୁର ବଇଙ୍ଗା ନାଳ। ପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ। ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ପାଣିରେ ବୁଡ଼ି ରହିଛି ଟ୍ରକ୍‌। ସୁଆକାଟି-ରାଉରକେଲା ଓ ଦବୁନା ସମେତ ଅଁରା ରାଇଗୋଡା ଫୁଲଝରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବାଂଶପାଳ। ମଙ୍ଗଳବାର ଠାରୁ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି। ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବ୍ଲକର ୨୦ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ଲକର ସିଂପୁର ବଇଙ୍ଗା ନାଳ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ସୁଆକାଟୀ ଠାରୁ ରାଉଲକେଲା ଓ ଦବୁନାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଆଜି ସକାଳୁ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡ଼ି ମଟର ଅଟକି ରହିଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅଁରାବ୍ରାହ୍ମଣୀ ନାଳ ପୋଲ ଉପରେ ୧୦ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ରାଇଗୋଡା ଠାରୁ ଅଁରା, ବିନିଦା, କୁସୁମିତା ଆଦି ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଅଁରାବ୍ରାହ୍ମଣୀ ନାଳକଡ଼ରେ ଏକ ଟ୍ରକ ପାଣିରେ ବୁଡ଼ି ରହିଛି। ନିକଟସ୍ଥ ଶ୍ରୀ ମେଟାଲିକ କାରଖାନାକୁ ଆସୁଥିବା ଶହ ଶହ ଆଇରନ ଟ୍ରକ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି। ଯାତ୍ରୀବାହୀ ଗାଡ଼ି ମଧ୍ୟ ଅଟକି ରହିଛି। ଦୁଧପଶୀ ଛେଲିଆ ଡେଗା ଠାରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଫୁଲଝର, ଇଟା ପୋଖରୀ ସମେତ ବ୍ଲକର ୨୦ଟି ପଞ୍ଚାୟତ ଲୋକେ ପ୍ରଭାବିତ ହୋଇଛନ୍ତି। ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କେନ୍ଦୁଘଟି, ହଳଡିହି ଆଦି ଗାଁ ଜଳ ବନ୍ଦୀ ହୋଇ ରହିଛି। ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି।