Onn 3

ବିଶ୍ବକପ୍ : ଅକ୍ଟୋବର ୧୪ରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ

National & International sports

ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ୱକପ୍ ୨୦୨୩ । ଏହାର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାର ଥିଲା। କିନ୍ତୁ ସୁରକ୍ଷା ଏଜେନ୍ସି ଏହି ତାରିଖକୁ ବଦଳାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ଆଇସିସି ଏହାକୁ ଗୋଟିଏ ଦିନ ଆଗକୁ ଅର୍ଥାତ୍ ଅକ୍ଟୋବର ୧୪କୁ ଘୁଞ୍ଚାଇ ଦେଇଥିଲା । ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ ପ୍ରଥମେ ଏଥିପାଇଁ ରାଜି ହେଉନଥିବାବେଳେ ଏବେ ରାଜି ହୋଇଛି । ବିସିସିଆଇର ଅନୁରୋଧ କ୍ରମେ ପାକିସ୍ତାନ ବୋର୍ଡ ଏଥିପାଇଁ ରାଜି ହୋଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହୋଇଛି। ସେହିପରି ଶ୍ରୀଲଙ୍କା ବିପକ୍ଷ ପାକିସ୍ତାନ ମ୍ୟାଚର ତାରିଖ ବି ବଦଳିଯିବ । ପୂର୍ବରୁ ଏହା ଅକ୍ଟୋବର ୧୨ରେ ଖେଳାଯିବାର ଥିଲା କିନ୍ତୁ ଏବେ ଏହି ମ୍ୟାଚ୍ ୧୦ ତାରିଖରେ ଖେଳାଯିବ। ଫଳରେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳକୁ ୩ ଦିନର ବ୍ୟବଧାନ ମିଳିବ ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୫ ନବରାତ୍ରୀ ଆରମ୍ଭ ହେଉଥିବାରୁ ସେହିଦିନ ଭାରତ-ପାକିସ୍ତାନ ମ୍ୟାଚକୁ ସୁରକ୍ଷା ଯୋଗାଇବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲା ଗୁଜରାଟ ପୁଲିସ୍ । ଏହାକୁ ଦୃଷ୍ଟିରେ ରଖି ମ୍ୟାଚକୁ ଅକ୍ଟୋବର ୧୪କୁ ଘୁଞ୍ଚାଇ ଅଣାଯାଇଛି ।