Onn 3

ବଢ଼ୁଛି ଜଳକା ଓ ସୁବର୍ଣ୍ଣରେଖା: ଉତ୍ତର ବାଲେଶ୍ଵରରେ ବନ୍ୟା ପରିସ୍ଥିତି

State

ଜଳେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗତକାଲି ପୂର୍ବାହ୍ନ ୮ଟାରୁ ଆଜି ପୂର୍ବାହ୍ନ ୮ ଟା ମଧ୍ୟରେ ବସ୍ତା ବ୍ଲକରେ ସର୍ବାଧିକ ୧୮୦ ଏମଏମ, ବାଲିଆପାଳ ବ୍ଲକରେ ସର୍ବାଧିକ ୧୭୩ ଏମଏମ, ଭୋଗରାଇ ବ୍ଲକରେ ୧୩୫ ଏମଏମ ଓ ଜଳେଶ୍ଵର ବ୍ଲକରେ ସର୍ବନିମ୍ନ ୬୩ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଏହି ୪ଟି ବ୍ଲକର ଇଲାକାକୁ ମୟୁରଭଞ୍ଜ ଜିଲ୍ଲା ଓ ପଶ୍ଚିମବଙ୍ଗର ନୟାଗ୍ରାମ, ଦାନ୍ତୁନ, ମୋହନପୁର, ଏଗ୍ରା ଓ ଦୀଘା ଆଦି ଥାନା ଇଲାକାର ବିସ୍ତୀର୍ଣ୍ଣ ଅଞ୍ଚଳ ଲାଗି ରହିଥିବା ବେଳେ ସେସବୁ ଇଲାକାରେ ମଧ୍ୟ ଗତ ୪୮ ଘଣ୍ଟା ରେ ପ୍ରବଳ ବର୍ଷା ହୋଇଛି। ଫଳରେ ସେହିସବୁ ଇଲାକାର ଉଦବୃତ୍ତ ବର୍ଷାପାଣି ପ୍ରଖର ସ୍ରୋତରେ ବିଭିନ୍ନ ଜଳ ନିଷ୍କାସନ ଉତ୍ସ ଜରିଆରେ ଏତଦ୍ ଅଞ୍ଚଳକୁ ମାଡ଼ି ଆସୁଛି।

ଏହି ପାଣି ଆଜି ରାତି ସୁଦ୍ଧା ଉପରୋକ୍ତ ୪ ବ୍ଲକର ତଳିଆ ଅଞ୍ଚଳରେ ପହଞ୍ଚିଗଲେ ଜଳେଶ୍ଵର ବ୍ଲକର  ନେତୁଆ, ସମ୍ପତ୍ତିଆ, ନାମ୍ପୋ, ଖାଲିନା, ଖୁଲୁଡା, ବର୍ତ୍ତନା, ସୁଗୋ, ନଛିମପୁର, ଭୋଗରାଇ ବ୍ଲକର ନହରା,ବାଲିମ, ନାଚିନ୍ଦା, କୁଶୁଡା, ଗବଗାଁ, ମହାଗବ, ଗୁଣସାର୍ଥା, ସିଆଁରୋଇ, କୁଳିଦା, ପୁଟିଣା, କଚୁଆଡି, ମହେଶପୁର,ବସ୍ତା ବ୍ଲକର ବାହାର୍ଦ୍ଦା,ବାସୁଚକରି,ଚୋରମରା, ସିଙ୍ଗଲା, କୁଡିଆ, ମଥାଣି, ନାଇକୁଡି, ନାବ୍ରା, ରଘୁନାଥପୁର, ସଦାନନ୍ଦପୁର ଓ ସାହାଡ଼ା, ବାଲିଆପାଳ ବ୍ଲକର ପଞ୍ଚାୟତର ୫୬୧୪୨ ହେକ୍ଟର ଖାଲୁଆ ଜମି ଉପରେ କେଉଁଠି ଦୁଇ ଫୁଟ ତ କେଉଁଠି ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ବୋଲି ଏକ ରିପୋର୍ଟ ରୁ ଜଣାପଡିଛି।ସେଥିମଧ୍ୟରୁ ୪୪୪୨୨ ହେକ୍ଟର ଧାନ ଜମି ହୋଇଥିବା ବେଳେ ଅବଶିଷ୍ଟ ୧୧୭୨୦ ହେକ୍ଟର ଅଣ ଧାନ ଜମି।ତେବେ ସମସ୍ତ ଧାନ ଜମିରେ ରୂଆବେଉଷଣ କାର୍ଯ୍ୟ ହୋଇ ନଥିବାର ବିଶେଷ କ୍ଷତି ହେବ ନାହିଁ ବୋଲି କୁହାଯାଇଛି। କିନ୍ତୁ ଲଗାଣ ବର୍ଷାରେ ପନିପରିବା ଚାଷର ବ୍ୟାପକ କ୍ଷୟକ୍ଷତି ହୋଇଛି ଓ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ରିପୋର୍ଟ ଲେଖା ହେବା ବେଳକୁ ଏହି ବ୍ଲକର କିଛି ଗାଁ ଜଳବନ୍ଦୀ ହୋଇ ମଧ୍ୟ ରହିଛି।