Onn 3

ଅବହେଳିତ ସରକାରୀ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଲୋୟର ପିଏମଜି

State

ଭୁବନେଶ୍ୱର: ସକାଳୁ ସକାଳୁ କମ୍ପୁଥିଲା ଲୋୟର ପିଏମଜି । ସରକାରଙ୍କ ଦ୍ୱାରା ଅବହେଳିତ, ଉପେକ୍ଷିତଙ୍କ ଗର୍ଜନରେ ଥରୁଥିଲା ରାଜଧାନୀ ଛାତି। ଗୋଟିଏ ପଟେ ବିଭିନ୍ନ ଦାବି ନେଇ ଏକାଠି ହୋଇଥିଲେ ସରକାରୀ ଆଉଟସୋର୍ସିଂ କର୍ମଚାରୀ । ଅନ୍ୟପଟେ ଗର୍ଜୁଥିଲେ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ମହାସଂଘ  । ହଜାର ହଜାର ଅସନ୍ତୁଷ୍ଟ ସରକାରୀ କର୍ମଚାରୀଙ୍କ ଭିଡରେ ଲୋୟର ପିଏମଜି ଯେମିତି ଜନସମୁଦ୍ର ପରି ଦିଶୁଥିଲା ।

ଆଜି ସକାଳୁ ସକାଳୁ ରାଜଧାନୀରେ ଗର୍ଜିଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଏମାନେ । ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ପାଇଁ ସରକାରଙ୍କ ନିକଟରେ  ଦାବି ରଖିଥିଲେ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିଶାଳ ଗଣଧାରଣ ଦେଇଥିଲେ ଏହି ଆଉଟସୋର୍ସିଂ କର୍ମଚାରୀଗଣ |

ଓଡିଶା ସରକାରଙ୍କ ୪୨ ବିଭାଗରେ ଥାର୍ଡ ପାର୍ଟି ଜରିଆରେ ପ୍ରାୟ ୮୦ ହଜାର କର୍ମଚାରୀ   ୧୦ରୁ ୧୮ ବର୍ଷ ହେଲା କାମ କରି ଆସୁ୍‌ଥିଲେ ହେଁ ସେମାନଙ୍କ  ଦରମା ବଢୁ ନାହିଁ ।   ବହୁ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ ଏହି କର୍ମଚାରୀ ।

ଅନ୍ୟପକ୍ଷେ  ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକମାନେ ସେମାନଙ୍କ ଦାବି ନେଇ ଧାରଣା ଦେଇଥିଲେ ରାଜଧାନୀରେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ/ଶିକ୍ଷୟିତ୍ରୀ ଏକାଠି ହୋଇଥିଲେ ।  ସରକାର ଏମାନଙ୍କୁ ରେଗୁଲାର କରିଦେଲେ କିନ୍ତୁ ଏକ୍ସ କ୍ୟାଡର ଲଗାଇ ଇନକ୍ରିମେଣ୍ଟ ମେଣ୍ଟ କରିଦେଲେ । ଏପରିକି ରେଗୁଲାର ଶିକ୍ଷକ ପାଉଥିବା ସମସ୍ତ ସୁବିଧାରୁ ଏମାନଙ୍କୁ ବଞ୍ଚିତ କରିଦେଲେ । ଏକ୍ସକ୍ୟାଡର ହଟାଇବା ସହ ଇନକ୍ରିମେଣ୍ଟ ପ୍ରଦାନ ଓ ଅନ୍ୟାନ୍ୟ ଦାବି ନେଇ ଏମାନେ ରାଜଧାନୀ ରାସ୍ତାରେ ଆଜି ଗର୍ଜିଥିଲେ । ଦାବି ପୂରଣ ନ ହେଲେ ମହାବିଳ୍ପବ କରିବେ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ମହାସଂଘ ।