Onn 3

ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ ବଜ୍ରପାତ ଘଟି ବାପା-ପୁଅ ମୃତ

State

ବାଲୁଗାଁ: ବାଲୁଗାଁ ଚିଲିକାକୂଳରେ ଥିବା ଶାନ୍ତିନଗର ବାସିନ୍ଦା ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ ଚିଲିକାକୁ ମାଛ ମାରିବା ସମୟରେ ଗତ ରବିବାର ରାତ୍ରିରେ ବଜ୍ରପାତରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି | ତେବେ ମୃତ ଉତ୍ତମଙ୍କ ସ୍ତ୍ରୀ ମୋନାଲି ଗତକାଲି ରାତିରେ ହିଁ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଉତ୍ତମ ନିଜ ଝିଅକୁ ଦେଖିବା ପୂର୍ବରୁ ଦୁନିଆରୁ ଚାଲି ଯାଇଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଚିଲିକା ଶାନ୍ତିନଗରରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପରିବାରର ଦୁଇ ମୁଖିଆଙ୍କ ମୃତ୍ୟୁ ହୋଇଥିଲା ବେଳେ ଶାଶୁ ,ବୋହୁ ଓ ତିନି କନ୍ୟା ସନ୍ତାନ ଦୁଃଖରେ ଭାଙ୍ଗି ପଡିଛନ୍ତି । ବାଲୁଗାଁ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାରୁ ପ୍ରକାଶ ବାଲୁଗାଁ ଶାନ୍ତିନଗରର ବିଧାନ ବିଶ୍ୱାସ (୬୦) ଓ ପୁଅ ଉତ୍ତମ ବିଶ୍ୱାସ(୩୨) ପ୍ରତ୍ୟେକ ଦିନ ପରି ଗତ ରବିବାର ସନ୍ଧ୍ୟାରେ ଚିଲିକାକୁ ମାଛ ମାରିବା ପାଇଁ ନିଜସ୍ୱ ଗୋଟିଏ ଛୋଟ ଡ଼ଙ୍ଗାରେ ଯାଇଥିଲେ । ବାଲୁଗାଁର ଚିଲିକା ପେଣ୍ଠସ୍ଥଳଠାରୁ ମାତ୍ର ୫ଶହ ମିଟର ଦୂରତ୍ୱରେ ମାଛ ମାରିବା ସମୟରେ ରାତି ପ୍ରାୟ ୧୧ଟା ବେଳେ ଏକ ବଡଧରଣର ବଜ୍ରାଘାତ ହୋଇଥିଲା ।
ଏହି ବଜ୍ରାଘାତରେ ବିଧାନ ବିଶ୍ୱାସ ଓ ପୁଅ ଉତ୍ତମ ବିଶ୍ୱାସଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିବାବେଳେ ଘଟଣା ସ୍ଥଳରେ ବାପ ଓ ପୁଅର ମୃତ୍ୟୁ ହୋଇଥିଲା । ମାଛ ମାରି ସୋମବାର ସକାଳେ ଘରକୁ ନଫେରିବାରୁ ଘର ଲୋକ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ପୂର୍ବରୁ ମୃତ ଉତ୍ତମଙ୍କ ଦୁଇଟି କନ୍ୟା ସନ୍ତାନ ଥିବା ବେଳେ ଗତ ରବିବାର ରାତି ୧୧ଟା ସମୟରେ ଉତ୍ତମଙ୍କ ସ୍ତ୍ରୀ ମୋନାଲି ବିଶ୍ୱାସ ଆଉ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବାଲୁଗାଁ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଦୁଇଙ୍କୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ବଙ୍ଗୀୟ ପରିବାରର କେହି ହେଲେ ସାହାଭରସା ନଥିବା ବେଳେ ସରକାରଙ୍କ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।