Onn 3

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷାଫଳ

State

ଭୁବନେଶ୍ୱର: ଆଜି ଓଡିଶା ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶ ପାଇଛି | ଆଉ ଏଥିରେ ୧୬୪ ଜଣ ମହିଳାଙ୍କ ସହ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି | ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୂଚିସ୍ମିତା ପାଣିଗ୍ରାହୀ | ସେହିପରି ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ, ଚତୁର୍ଥରେ ବୈଶାଖୀ ଲେଙ୍କା, ୫ମରେ ଶ୍ୱେତଲୀନା ମାହାନା, ଷଷ୍ଠ ସ୍ଥାନରେ ଅଗ୍ନିଜା ଶିବଦତା ଥିବାବେଳେ ୭ମରେ ସନ୍ତୋଷ କୁମାର ପାତ୍ର, ୮ମରେ ମୀମାଂସା ସାହୁ, ୯ମ ସ୍ଥାନରେ ବିନ୍ଦୁ ବଳୟ ରାଉତରାୟ, ୧୦ମରେ ସୌମ୍ୟରଂଜନ ମହାପାତ୍ର ରହିଛନ୍ତି | ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଓ ୫ ଜଣ ଝିଅ ରହିଛନ୍ତି | ୧୬୪ ଜଣ ଝିଅଙ୍କ ସହ ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି |
ଉଲ୍ଲେଖ ଥାଉ କି ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା, ୨୦୨୧ର ଫଳ ପ୍ରକାଶ ଉପରେ ରହିଥିବା ଅଙ୍କୁଶ ହାଇକୋର୍ଟ ହଟାଇବା ପରେ ଆଜି ଫଳ ପ୍ରକାଶ ପାଇଛି | ୨୦୨୩ ଜୁଲାଇ ୨୧ରେ ହାଇକୋର୍ଟ ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି କୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସମଗ୍ର ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ ଉପରେ ପରୋକ୍ଷରେ କଟକଣା ରହିଥିଲା।
ହାଇକୋର୍ଟଙ୍କ ଜୁଲାଇ ୨୧ର ଅନ୍ତରୀଣ ନି‌ର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଂଗ ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ତରଫରୁ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାୟର କରାଯାଇଥିଲା। ଜଣେ ପ୍ରାର୍ଥୀଙ୍କୁ ପର୍ସନାଲିଟି ଟେଷ୍ଟକୁ ଡକା ନ ଯିବା ବିବାଦକୁ ନେଇ ଦାୟର ମାମଲାରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା ଫଳ ପ୍ରକାଶ ଉପରେ ଅଙ୍କୁଶ ଜାରି କରାଯିବା ଦ୍ବାରା ଅନ୍ୟ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ଓପିଏସ୍‌ସି ଆବେଦନର ଶୁଣାଣି କରି ଅଙ୍କୁଶ ହଟାଇଥିଲେ। ତେବେ ଗୋଟିଏ ପଦବି ସଂରକ୍ଷିତ ରଖିବାକୁ ଓପିଏସ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପଦବିରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ।