Onn 3

ରାଜ୍ୟର ବିଭିନ୍ନ କାରାଗାରରେ କଏଦୀ ପଢୁଛନ୍ତି ପାଠ, ଅଢ଼େଇ ବର୍ଷରେ ନାମ ଲେଖାଇଲେଣି ୨୪୫

State

ଭୁବନେଶ୍ବର: ରାଜ୍ୟର ବିଭିନ୍ନ କାରାଗାରରେ ବନ୍ଦ ଥିବା କଏଦୀଙ୍କୁ ପାଠ ପଢିବାକୁ ପ୍ରୋତ୍ସାହିତ କରାଯାଉଛି। ସେମାନଙ୍କୁ ମାଗଣାରେ ନାମଲେଖା ସହ ସମସ୍ତ ପ୍ରକାରର ପାଠ୍ୟ ଉପକରଣ ପ୍ରଦାନ କରାଯାଉଛି। ଦିନକୁ ଦିନ ପାଠପଢା ପ୍ରତି ସେମାନଙ୍କ ଆଗ୍ରହ ବଢିବାରେ ଲାଗିଛି। ବିଗତ ଅଢେଇ ବର୍ଷ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ରେ ୪ କାରାଗାରରେ ୨୪୫ରୁ ଊର୍ଦ୍ଧ୍ବ କଏଦୀ ନାମ ଲେଖାଇଲେଣି।

ସୂଚନା ଅନୁଯାୟୀ ଇଗ୍ନୋ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କାରାଗାରରେ କଏଦୀଙ୍କୁ ଶିକ୍ଷାଦାନକୁ ପ୍ରାଥମିକତା ଦିଆଯାଉଛି। ପ୍ରତି ବର୍ଷ ଦୁଇଟି ପର୍ଯ୍ୟାୟରେ ନାମଲେଖା ଯାଉଛି। କାରାଗାରରେ ରହୁଥିବା ବିଚାରାଧୀନ ଓ ଦୋଷୀସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ପାଠପଢା ସୁଯୋଗ ମିଳୁଛି। ଚୌଦ୍ବାର କାରାଗାର କଟକ, ସର୍କଲ କାରାଗାର ବ୍ରହ୍ମପୁର, ଜିଲା କାରାଗାର ପୁରୀ ଓ ଜିଲା କାରାଗାର ଫୁଲବାଣୀରେ ୨୦୨୧ରୁ ଏଯାବତ୍‌ ୨୪୫ କଏଦୀ ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଓ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି।

ପ୍ରତିବର୍ଷ ଦୁଇଟି ପର୍ଯ୍ୟାୟରେ ନାମ ଲେଖାଯାଉଛି। ଚୌଦ୍ବାର କାରାଗାରରେ ୨୦୨୧ରେ ଜାନୁଆରୀ ସେସନରେ ୧୦୯ ଓ ଜୁଲାଇରେ ୬୭ କଏଦୀ ନାମ ଲେଖାଇଛନ୍ତି। ୨୦୨୨ରେ ୧୫ କଏଦୀ ନାମ ଲେଖାଇଥିବାବେଳେ ୨୦୨୩ ନାମଲେଖା ପ୍ରକ୍ରିୟା ଚାଲିଛି। ସେହିପରି ବ୍ରହ୍ମପୁର ସର୍କଲ କାରାଗାରରେ ୨୦୨୧ରେ ୧୮ ଓ ୨୦୨୨ରେ ଜଣେ କଏଦୀ ନାମ ଲେଖାଇଥିଲେ। ଜିଲା କାରାଗାର ପୁରୀରେ ୨୦୨୨ରେ ୧୦ ଓ ୨୦୨୩ରେ ୩ ଜଣ ଏବଂ ଜିଲା କାରାଗାର ଫୁଲବାଣୀରେ ୨୦୨୩ରେ ୨୧ କଏଦୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି।

ଅନ୍ୟପକ୍ଷରେ ବାଲ୍ବେଶ୍ବର ଜିଲା କାରାଗାର, ସ୍ବତନ୍ତ୍ର କାରାଗାର ଝାରପଡା ଭୁବନେଶ୍ବର ଓ ସର୍କଲ କାରାଗାର ବାରିପଦାରେ ଅଢେଇ ବର୍ଷ ମଧ୍ୟରେ ଜଣେ ହେଲେ କଏଦୀ ନାମ ଲେଖାଇ ନାହାନ୍ତି। ଶିକ୍ଷାବର୍ଷ ଆରମ୍ଭରୁ କାରାଗାରର ଅଧୀକ୍ଷକଙ୍କୁ ଇଗ୍ନୋ ପକ୍ଷରୁ ଏନେଇ ଅବଗତ କରାଯାଉଥିଲେ ମଧ୍ୟ କେହି ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ବ୍ୟବସ୍ଥାରେ ସମାଜର ମୁଖ୍ୟ ସ୍ରୋତରେ କଏଦୀମାନଙ୍କୁ ସାମିଲ କରିବାକୁ ସେମାନଙ୍କୁ ମାଗଣାରେ ନାମ ଲେଖା ସହିତ ବହି ମାଗଣାରେ ଦିଆଯାଉଛି। ନିୟମିତ ପାଠପଢା ଯାଉଥିବାବେଳେ ପରୀକ୍ଷା ପାଇଁ ଫର୍ମପୂରଣ ମଧ୍ୟ ଦେୟମୁକ୍ତ ରହିଛି।

ଇଗ୍ନୋ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦେଶକ ଡ.ସୁରେଶ କୁମାର ତ୍ରିପାଠୀ କହିଛନ୍ତି ଆମେ ଉଭୟ ବିଚାରାଧୀନ ଓ ସଜା କାଟୁଥିବା କଏଦୀଙ୍କୁ ଶିକ୍ଷା ଆହରଣ ପାଇଁ ପ୍ରୋତ୍ସାହିତ କରୁଛୁ। ଭାରତ ସରକାରଙ୍କ ପକ୍ଷରୁ ମାଗଣାରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି। ସେଥିଯୋଗୁଁ କଏଦୀଙ୍କୁ ସବୁ ସୁବିଧା ପ୍ରଦାନ କରି କିଭଳି ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ ତାକୁ ପ୍ରାଧାନ୍ୟ ଦିଆଯାଉଛି। ଆଗାମୀ ଦିନରେ କଏଦୀଙ୍କ ସଂଖ୍ୟା ବଢାଇବାକୁ ଆମେ ପ୍ରୟାସ କରୁଛୁ ବୋଲି ସେ କହିଛନ୍ତି।