Onn 3

ବିଜେପିର ‘ଡେଙ୍ଗୁ’ ପ୍ରତିବାଦ, ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲେ

Politics State

ଭୁବନେଶ୍ୱର: ଡେଙ୍ଗୁ ଜରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ସଂକ୍ରମଣ ହାର କମ୍ ।

ଗତବର୍ଷ ଏହି ସମୟରେ ୧୦ ହଜାର ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୭୦୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଚଳିତବର୍ଷ ଏବେ ସୁଦ୍ଧା ୧୮ ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ୫୫୦ ଜଣ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଥିଲେ, ୧୦ ଜିଲ୍ଲାରେ ଜଣେ ବି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ୧୨ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କ ତଳେ ରହିଛି । ୭ ଜିଲ୍ଲାରେ ୪୦ରୁ କମ୍ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ସର୍ବାଧିକ ରହିଛି ।

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆ ଯାଉଥିବା କହିଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ଲାଗି ମହାନଗର ନିଗମ, ପୌର ପରିଷଦ ଓ ପଞ୍ଚାୟତ ସମିତି ଗୁଡ଼ିକୁ କୁହାଯାଇଥିବା କହିଥିଲେ ।

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୩୩୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେତେବେଳେ କି ସେଥି ମଧ୍ୟରୁ ଭୁବନେଶ୍ୱରରୁ ୨୦୦ରୁ ଅଧିକ ଜଣ ଡେଙ୍ଗୁରେ ସଂକ୍ରମିତ ।

ଯାହାର ପ୍ରତିବାଦ କରି ବିଜେପି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମେୟର ସୁଲୋଚନା ଦାସଙ୍କ ମାସ୍କ ପିନ୍ଧି ମଶାରୀ ଟାଣି ରାସ୍ତା ଉପରେ ଅଭିନବ ପ୍ରତିବାଦ କରିଛନ୍ତି ବିଜେପି ନେତା ଓ କର୍ମୀ । ରାଜଧାନୀରେ ୨ ସନ୍ଦିଗ୍ଧ ଡେଙ୍ଗୁ ମୃତ୍ୟୁକୁ ନେଇ ବିଏମସି ମେୟର ଓ କମିଶନରଙ୍କ ବିରୋଧରେ ଅଭିଯୋଗ କରିବାକୁ ବିଜେପି ନେତା ଧମକ ଦେଇଛନ୍ତି ।