Onn 3

ମୋ ଓଡ଼ିଶା ନୀବନ ଓଡ଼ିଶା ଓ ମୋ ଘର ଯୋଜନା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କର ସରକାରଙ୍କ ବିଭିନ୍ନ ଯୋଜନାରେ ହୋଇଥିବା କାର୍ଯ୍ୟରେ ଅଗ୍ରଗତି ପାଇଁ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଯନ୍ତ୍ରୀ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗ୍ରାମ ରୋଜଗାର ସେବକ ଏବଂ ବିଭିନ୍ନ ବିଭାଗୀୟ କର୍ମଚାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି ସରକାରଙ୍କ ନୂଆ ଯୋଜନା ମୋ ଓଡ଼ିଶା ନବୀନ ଓଡ଼ିଶା କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପ୍ରତ୍ୟେକ ୱାର୍ଡ଼ ସ୍ତରରେ କିଭଳି କାର୍ଯ୍ୟର ଅଗ୍ରଗତି ହେବ ଏବଂ ଏହାର ଗାଇର୍ଡ଼ଲାଇନ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ଏହାଛଡ଼ା ଗ୍ରାମୀଣ ଗୃହନିର୍ମାଣ ଯୋଜନାରେ ପ୍ରଣୟନ କରାଯାଇଥିବା ମୋ ଘର ଯୋଜନାରେ ସମ୍ପୃକ୍ତି ହେବା ପାଇଁ କିଭଳି ଅଧିକ ହିତାଧିକାରୀ ନାମ ପଞ୍ଜୀକୃତ କରିବେ ଏବଂ ଯେଉଁମାନେ ନାମ ପଞ୍ଜୀକୃତ କରିଛନ୍ତି ସେମାନଙ୍କର ବ୍ୟାଙ୍କରେ କିଭଳି ଋଣ ମଂଜୁରୀ କରାଯାଇପାରିବ ସେଥିପାଇଁ ଯତ୍ନବାନ ହେବାକୁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ ।

ଏହି ବ୍ଲକର ୪୧ଗୋଟି ପଞ୍ଚାୟତରେ ମୋଟ ୨୨୩୧ ଜଣ ହିତାଧିକାରୀ ନାମ ପଞ୍ଜୀକୃତ କରିଥିଲାବେଳେ ସେଥିମଧ୍ୟରୁ ୧୬୮୧ ଜଣ ଋଣ ପାଇଁ ଆବେଦନ କରିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ୨୬୩ ହିତାଧିକାରୀଙ୍କର ତଦନ୍ତ କରାଯାଇଥିଲା ବେଳେ ମାତ୍ର ୪ଜଣଙ୍କର ଋଣ ମଂଜୁର ହୋଇଥିବା ଜଣାଯାଇଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୁଡ଼ାନ୍ତ ତାଲିକାରେ ୧୪୭୨ ଜଣ ହିତାଧିକାରୀଙ୍କ ନାମ ଥିବାବେଳେ ୧୩୯୨ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୫୨ଜଣ ଭୂମିହୀନ ରହିଥିବାବେଳେ ୨୨ଜଣଙ୍କର କାର୍ଯ୍ୟାଦେଶ ଦିଆଯାଇନାହିଁ , ୬୭ ହିତାଧିକାରୀଙ୍କ ର ବିଭିନ୍ନ ସମସ୍ୟା ପାଇଁ ବ୍ୟାଙ୍କ ଖାତାକୁ ଅର୍ଥ ଯାଇନଥିବା ଜଣାଯାଇଛି । ଏହାଛଡ଼ା ପରିମଳ ଯୋଜନାରେ କରାଯାଇଥିବା ପାଇଖାନା କାର୍ଯ୍ୟ , ମନରେଗା ଯୋଜନାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ,ଅଙ୍ଗନୱାଡ଼ି ଗୃହ ନିର୍ମାଣ, ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟରେ ରହିଥିବା ବିଭିନ୍ନ ସମସ୍ୟା ଓ ସମାଧାନର ସହିତ ଏହା କିପରି ଅଗ୍ରଗତି ହୋଇପାରିବ ସେ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରାଜ ନାୟକ, ଅଟକଳକାରୀ ଅରୁଣ ପଣ୍ଡା, ମନରେଗା ଜିଲ୍ଲା ସଂଯୋଜକ ମାନସୀ ମଢୁଆଳ, ପରିମଳ ଯୋଜନାର ଜିଲ୍ଲା ସଂଯୋଜକ ବିଦ୍ୟାଧର ନାୟକ, ସୂର୍ଯ୍ୟକାନ୍ତ ସାହୁ, ବ୍ଲକ ନିର୍ବାହୀ ଯନ୍ତ୍ରୀ ସତ୍ୟରଂଜନ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ଭାରପ୍ରାପ୍ତ ଅତିରିକ୍ତ ବିଡ଼ିଓ ବିଷ୍ଣୁଚରଣ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।