Onn 3

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସାଂସଦ ସୁଲତା ଦେଓ

State

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ସୁଲତା ଦେଓଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ଭାବେ ରାଜ୍ୟସଭା ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସୁଲତା। ପରବର୍ତ୍ତୀ ଅବସ୍ଥାରେ ୨୦୦୭ ମସିହାରେ ଜିଲ୍ଲାପରିଷଦ ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ସେତେବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପାଇଁ ସୁଲତାଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ ସେ ବରୀ ବିଧାନସଭା ଆସନ ପାଇଁ ମଧ୍ୟ ଅଶାୟୀ ଥିଲେ। କିନ୍ତୁ ତତ୍କାଳୀନ ବରୀ ବିଧାୟକ ଦେବାଶିଷ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଯୋଗୁଁ ସୁଲତାଙ୍କୁ ନିରାଶ ହେବାକୁ ପଡିଥିଲା।

ଶେଷରେ ବରୀ ବିଧାନସଭା ଆସନ ଟିକେଟ ଆଶା ଛାଡି ରାଜ୍ୟ ରାଜନୀତି ଆଡକୁ ମନ ବଳାଇଥିଲେ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେଡ଼ି ପାଇଁ କାମ କରି ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ୨୦୧୨ ରୁ ୨୦୧୩ ଯାଏଁ ବରୀ ନିର୍ବାଚନ ମଣ୍ଡଳୀର ବିଜେଜି ସାଂଗଠନିକ ଦାୟିତ୍ୱରେ ରହିଥିଲେ। ପରେ ବିଜେଡି ପ୍ୟାନେଲିଷ୍ଟ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ୨୦୨୦ ପରଠାରୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସହ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ରାଜ୍ୟ ସାଂସଦ ଅଛନ୍ତି।