Onn 3

ଔଷଧ ଦୋକାନରେ ଗଣ୍ଡଗୋଳ; ଥାନାରେ ଅଟକ

Crime State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ବଜାରରେ ଥିବା ଏକ ଔଷଧ ଦୋକାନରେ କେତେକ ଯୁବକ ଆସି ହଠାତ୍ ଦୋକାନ ରେ ପଶି ସେଲସମ୍ୟାନ ଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସମ୍ପୃକ୍ତ ସେଲସମ୍ୟାନ୍ ମାହାଙ୍ଗା ଥାନା ଅଧିନ ବାଲିପଡ଼ା ଗ୍ରାମର ରଶ୍ମିତା ବାରିକଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରି ଟଣାଓଟରା କରିବା ସମୟରେ ତାର ପୋଷକ ଚିରି ଟୁକୁରା ହୋଇଯିବାରୁ ସେ ଉଲଂଘନ ହୋଇପଡ଼ିଥିଲେ । ପରେ ସମ୍ପୃକ୍ତ ଯୁବତୀଙ୍କୁ ମାରଧରି କରି ଲହୁଲୁହାଣ ମଧ୍ୟ କରି ଦେଇଥିଲେ । ଏହି ସମୟରେ ଦୋକାନର ମାଲିକ ଗିରିଜାଶଙ୍କର ବେହେରା ଆସି ପହଂଚି ଏହାର ପ୍ରତିବାଦ କରିବାରୁ ୩ଜଣ ଯୁବକ ପ୍ରତିହିଂସା ପରାୟଣ ହୋଇ ତାଙ୍କୁ ମାରାଣସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବା ସହିତ ଦୋକାନ ଭିତରେ ଥିବା ଲ୍ୟାପଟପ ଓ ବିଭିନ୍ନ ଆସବାପତ୍ର ଭଙ୍ଗାରୁଜା କରି କ୍ୟାସ ଡ଼୍ରୟର ରେ ଥିବା ୫ ହଜାର ଟଙ୍କା ନେଇଯାଇଥିଲେ ।

ଏହି ଗଣ୍ଡଗୋଳ ଦେଖି ସ୍ଥାନୀୟ କେତେକ ଲୋକ ସମ୍ପୃକ୍ତ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଅସୁରେଶ୍ୱର ପଞ୍ଚାୟତ ଦିକ୍ଷିତପଡ଼ା ଗ୍ରାମର ଅଶୋକ ବାରିକ , ନାରାୟଣ ବାରିକ, ବଳରାମ ବାରିକ କୁ ଗିରଫ କରି ଥାନାରେ ଅଟକ ରଖିଛି । ଅପରପକ୍ଷରେ ଆକ୍ରମଣ ର ଶୀକାର ହୋଇଥିବା ରଶ୍ମିତା ଓ ଗିରିଜାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଇଛି । ହଠାତ୍ କଣ ପାଇଁ ଏଭଳି ଗଣ୍ଡଗୋଳର ସୁତ୍ରପାତ ହୋଇଛି ସେ ସଂକ୍ରାନ୍ତରେ କାରଣ ଅସ୍ପଷ୍ଟ ଥିବାବେଳେ ଔଷଧ ଦୋକାନ ମାଲିକ ଅସୁରେଶ୍ୱର ପଞ୍ଚାୟତ ପାଇକରାପୁର ଗ୍ରାମର ଗିରିଜାଶଙ୍କର ବେହେରା ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ କରିସାରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି ।