Onn 3

୫ମ ଦିନରେ ଆଗରପଡ଼ା-ଭଦ୍ରକ ବସ୍ ଚଳାଚଳ ବନ୍ଦ, ଚଳାଚଳ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି

State

ଆଗରପଡ଼ା:ଆଗରପଡ଼ା-ଭଦ୍ରକକୁ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ବସ ସମେତ ଭୁବନେଶ୍ୱର ଓ କଟକ ଆଦି ସ୍ଥାନକୁ ଯାଉଥିବା ବସ ଚଳାଚଳ ଶୁକ୍ରବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯଦ୍ୱାରା ଯାତ୍ରୀମାନେ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ସ୍ଥାନୀୟ ଡ଼ାଏଟ ଛକ ଠାରେ ଥିବା ଅସ୍ଥାୟୀ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀମାନଙ୍କ ଅନୁରୋଧ କ୍ରମେ ବସଗୁଡ଼ିକ କିଛି ଦିନ ହେବ ଚଳାଚଳ କରୁଥିଲା । ପୁର୍ବରୁ ବସଗୁଡ଼ିକ କଲେଜ ଛକ ଓ ମହତାବ ଛକରୁ ଫେରୁଥିଲା । ସୂଚନା ଅନୁଯାୟୀ ବର୍ତ୍ତମାନ ସରକାର ବସଚଳାଚଳରେ ସମୟ ସ୍ଥିର କରିଥିବାରୁ ଏବଂ ଆଗରପଡ଼ା-ବରପଦା ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ବସଗୁଡ଼ିକ ଷ୍ଟାଣ୍ଡକୁ ଯାଇ ଫେରିବା ବେଳକୁ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ କରିଯାଉଛି ।

ତେଣୁ ଅସ୍ଥାୟୀ ନୂଆ ବସଷ୍ଟାଣ୍ଡକୁ ବସ ଯିବା ସମ୍ଭବପର ହେଉନଥିବାରୁ ଏହାର ସମାଧାନ ସ୍ୱରୂପ ବସ ଚଳାଚଳ ଶୁକ୍ରବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହାର ସମାଧାନ ପାଇଁ ସ୍ଥାନୀୟ ଅଂଚଳର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଆଂଚଳିକ ପରିବହନ ଅଧିକାରୀଙ୍କୁ ଭେଟି ବସ୍ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ପରେ ଜିଲ୍ଲାପାଳ ଏହାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡ଼ିଛି । ଏହି ପ୍ରତିନିଧି ଦଳରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ,ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ଜିଲ୍ଲା ବିଜେଡ଼ି ଉପ ସଭାପତି ପ୍ରଶାନ୍ତ ଦାଶ,ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି,ଯୁବ ସଭାପତି ସତ୍ୟ ସାଧନ ବେଜ,ଛାତ୍ର ସଭାପତି ପ୍ରଣବ ଲେଙ୍କା,ପ୍ରକାଶ ବିଶ୍ୱାଳ,ସପନ ସିଂହ,ଦୀପକ ମହାନ୍ତି,ଗୋପାଳ ଦାଶ,ଅଶୋକ ପରିଡ଼ା ପ୍ରମୁଖ ସାମିଲ ଥିଲେ । ତେବେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି କେବେ କାର୍ଯ୍ୟକ୍ଷମ ହେବ ଏବଂ ବସ ଚଳାଚଳ କରିବ ଏହାକୁ ଚାତକ ପକ୍ଷୀ ପରି ଚାହିଁ ବସିଛନ୍ତି ଆଗରପଡ଼ା ଉପରେ ନିର୍ଭର କରୁଥବବା ତିନି ଜିଲ୍ଲାର ଅଂଚଳବାସୀ ।