Onn 3

ନିର୍ବାଚନ ପୂର୍ବରୁ ୪୦ କୋଟି ଟଙ୍କା ଖର୍ଚ୍ଚ କରି ଆକାଶରେ ଉଡିବେ ମାମାଙ୍କ ମନ୍ତ୍ରୀ

National & International

ଭୋପାଳ: ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ନିର୍ବାଚନକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ଆକ୍ସନ ମୁଡ଼କୁ ଆସିଯାଇଛନ୍ତି | ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଯେଭଳି ଅସୁବିଧା ନ ହୁଏ, ସେଥିପାଇଁ ରାଜ୍ୟ ସରକାର ୧୨ଟି ବେସରକାରୀ ବିମାନସେବା ପ୍ରଦାନ କରୁଥିବା କମ୍ପାନୀ ସହ ଚୁକ୍ତି କରିଛନ୍ତି | ଯାହାଫଳରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସମେତ ମନ୍ତ୍ରୀମାନେ ବିମାନ ବ୍ୟବହାର କରି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବେ। ଆଚରଣ ସଂହିତା ଲାଗୁ ନହେବା ପର୍ଯ୍ୟନ୍ତ ଏହି ବିମାନଗୁଡିକ ବ୍ୟବହାର କରାଯାଇପାରିବ |
ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ୧୩ ବର୍ଷ ମଧ୍ୟରେ ବିମାନ କମ୍ପାନୀମାନଙ୍କୁ ଭଡା ବାବଦରେ ୧୧୩ କୋଟି ୪୫ ଲକ୍ଷ ୭୦ ହଜାର ୫୩୭ ଟଙ୍କା ପ୍ରଦାନ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶିବରାଜଙ୍କ କ୍ୟାବିନେଟ ଘରୋଇ ବିମାନ ବ୍ୟବହାର ପାଇଁ ବଜେଟରେ ୩୦ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ୪୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବିମାନକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ କ୍ୟାବିନେଟ ସଦସ୍ୟମାନେ ବ୍ୟବହାର କରିବେ।
ଏହି ବିମାନ ବ୍ୟବହାର କରି ମନ୍ତ୍ରୀ ଜନସାଧାରଣଙ୍କ ନିକଟରେ ପହଞ୍ଚି ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ଜନସାଧାରଣଙ୍କୁ ଜଣାଇବେ। ଉଲ୍ଲେଖ ଥାଉ କି ଯେ ଗତ ୨୦୨୨-୨୩ ମସିହାରେ ଶିବରାଜ ସରକାର ଆଠଟି କମ୍ପାନୀ ସହିତ ଚୁକ୍ତି କରିଥିଲେ। ତେବେ ଚଳିତବର୍ଷ ୧୨ଟି କମ୍ପାନୀ ସହିତ ଚୁକ୍ତି ହୋଇଛି | ବଡ କଥା କୌଣସି ଦିନ ବିମାନ ବ୍ୟବହାର ନ ହେଲେ ବି ପ୍ରତିଦିନ ଦୁଇ ଘଣ୍ଟାର ଭଡା ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀଙ୍କୁ ପ୍ରଦାନ କରାଯିବ। ରାଜ୍ୟ ସରକାର ଭୋପାଳ ବିମାନବନ୍ଦରରେ ଏକ ମାସର ଚୁକ୍ତିନାମା ସ୍ୱାକ୍ଷର କରି ଘରୋଇ ବିମାନକୁ ରଖନ୍ତି ଏବଂ ଏହା ବ୍ୟବହାର ନହେଲେ ମଧ୍ୟ ପ୍ରତିଦିନ ଦୁଇ ଘଣ୍ଟା ପାଇଁ ବିମାନ ଭଡା ଦେଇଥାନ୍ତି । ବର୍ତ୍ତମାନ ଏହି କମ୍ପାନୀଗୁଡିକ ଘଣ୍ଟା ପ୍ରତି ଦୁଇ ରୁ ପାଞ୍ଚ ଲକ୍ଷ ଟଙ୍କା ଭଡା ନେବେ |