Onn 3

ଆଲକାରାଜଙ୍କୁ ୱିମ୍ବଲଡନ୍‌ ଟ୍ରଫି

sports

ଲଣ୍ଡନ୍: ୱିମ୍ବଲଡନ୍‌ ଟେନିସ୍ ପ୍ରତିଯୋଗିତାକୁ ମିଳିଛି ନୂଆ ଏକକ ପୁରୁଷ ବିଜେତା। ୨୦ ବର୍ଷୀୟ ଯୁବ ସ୍ପେନୀୟ ତାରକା କାର୍ଲୋସ୍‌ ଆଲକାରାଜ ଗାର୍ଫିଆ ରବିବାର ୫ ସେଟ୍‌ର ଫାଇନାଲ୍‌ରେ ୧-୬, ୭-୬ (୮-୬), ୬-୧, ୩-୬, ୬-୪ରେ ସର୍ବିୟା କିଂବଦନ୍ତି ନୋଭାକ ଜୋକୋଭିକ୍‌ଙ୍କ ରେକର୍ଡ ସ୍ବପ୍ନକୁ ଚୂରମାର କରି ଦେଇଛନ୍ତି। ପ୍ରଥମ ଥର ୱିମ୍ବଲଡନ୍‌ ଫାଇନାଲ୍ ଖେଳିଥିବା ଆଲକାରାଜ ଏଠାରେ ଏକ ନମ୍ବର ମାନ୍ୟତାରେ ଥାଇ ଦ୍ବିତୀୟ ମାନ୍ୟତାର ୩୬ ବର୍ଷୀୟ ଜୋକୋଭିକ୍‌ଙ୍କୁ ପରାସ୍ତ କରି ନିଜ ଖେଳ ଜୀବନର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଛନ୍ତି। ୨୦୨୨ରେ ଆଲକାରାଜ ୟୁଏସ୍ ଓପନ୍ ଟ୍ରଫି ସହ ଗ୍ରାଣ୍ଡ୍ ସ୍ଲାମ ବିଜୟ ଅଭିଯାନ ଆରମ୍ଭ କରିଥିଲେ। ରବିବାର ବିଜୟ ସହିତ ଆଲକାରାଜ ମଧ୍ୟ ଗତ ମାସର ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛନ୍ତି। ସୂଚନାଯୋଗ୍ୟ, ୨୦୧୩ ୱିମ୍ବଲଡନ୍‌ ଫାଇନାଲ୍‌ରେ ଆଣ୍ଡି ମରେଙ୍କଠାରୁ ହାରିବା ପରଠାରୁ ସେଣ୍ଟର୍ କୋର୍ଟରେ ଜୋକୋଭିକ୍ ଅପରାଜିତ ରହିଥିଲେ। ସେବେଠାରୁ ୱିମ୍ବଲଡନ୍‌ରେ କ୍ରମାଗତ ୩୪ ବିଜୟ ପାଇ ସାରିଥିଲେ। ଅଲ୍ ଇଂଲଣ୍ଡ କ୍ଲବ୍‌ରେ ମଧ୍ୟ ଜୋକୋଭିକ୍‌ ରୋଜର‌ ଫେଡେରରଙ୍କ ଅଷ୍ଟମ ଟ୍ରଫି ଏବଂ ମା‌ର୍ଗୋରେଟ୍‌ କୋର୍ଟଙ୍କ ୨୪ ଗ୍ରାଣ୍ଡ ସ୍ଲାମ୍ ମୁକୁଟର ସମକକ୍ଷ ହୋଇପାରିଥାନ୍ତେ। ଉଭୟ ମାଇଲଖୁଣ୍ଟଠୁ ଦୂରରେ ରହିଗଲେ ଜୋକୋଭିକ୍‌।