ଭୁବନେଶ୍ବର: ଇଂଲଣ୍ଡ ମହିଳା ହକି ଦଳ ରବିବାର ଦିନ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଭୁବନେଶ୍ବରରେ ଖେଳାଯିବ ।
ଫେବୃଆରୀ ୧୫ରେ ଘରୋଇ ଦଳ ଭାରତ ବିପକ୍ଷରେ ଇଂଲଣ୍ଡ ମହିଳା ହକି ଦଳ ପ୍ରଥମ ମ୍ୟାଚ ଖେଳିବେ । ସନ୍ଧ୍ୟା ୫ଟା୧୫ ବେଳେ ଏହି ମ୍ୟାଚ ଆରମ୍ଭ ହେବ । JioCinema ଓ Sports18ରେ ଏଫଆଇଏଚ୍ ପ୍ରୋ ଲିଗ୍ ର ସିଧାପ୍ରସାରଣ ଦେଖିପାରିବେ ।
ଫରୱାର୍ଡ ଡାର୍ସି ବୋର୍ନ ଭାରତରେ ପହଞ୍ଚିବା ପରେ ଉତ୍ସାହିତ ଥିବା କହିଛନ୍ତି । ସେ କହିଛନ୍ତି ଯେ, ବିଶେଷ କରି ହିରୋ ହକି ଇଣ୍ଡିଆ ଲିଗ୍ ପରେ ଭାରତରକୁ ଆସି ଆମେ ଅତ୍ୟଧିକ ଉତ୍ସାହିତ ଅଛୁ । ଭାରତରେ ମୁଁ ପ୍ରଥମ ଥର ଖେଳିବି। କିନ୍ତୁ ଏଠାରେ ହକିକୁ ନେଇ ଯେଉଁ ଉତ୍ସାହ, ଚର୍ଚ୍ଚା ଶୁଣିଛୁ ତାହା ମୁଁ କେବେ ଦେଖି ନାହିଁ ,ଏହାକୁ ନେଇ ମୁଁ ଅତ୍ୟନ୍ତ ଉତ୍ସାହିତ ।
ମୁଖ୍ୟ ପ୍ରଶିକ୍ଷକ ଡେଭିଡ ରାଲଫ ମଧ୍ୟ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି, “ଆମେ ଆଶା କରୁଛୁ ଯେ ମ୍ୟାଚଗୁଡିକ ବହୁତ ଚ୍ୟାଲେଞ୍ଜିଂ ହେବ କିନ୍ତୁ ଆମେ ବହୁତ ଉତ୍ସାହିତ ଅଛୁ। ଭାରତୀୟ ଜନତାଙ୍କ ଆଗରେ ଝିଅମାନେ ଖେଳିବେ, ଯାହା ବହୁତ ଅଦଭୁତ୍ ହେବ । ହକିରେ ଏହା ବହୁତ ଭଲ ଅନୁଭବ ।
ଏହି ଅବସରରେ ଷ୍ଟାଡିୟମରେ ପ୍ରବେଶ ପାଇଁ ସମସ୍ତ ପ୍ରଶଂସକଙ୍କ ପାଇଁ ମାଗଣା ମିଳିବ ଟିକେଟ୍ । ଭର୍ଚୁଆଲ୍ ଟିକେଟ୍ ପାଇବା ପାଇଁ ପ୍ରଶଂସକମାନେ www.ticketgenie.in ମାଧ୍ୟମରେ ସେମାନଙ୍କର ବିବରଣୀ ପ୍ରବେଶ କରି ସହଜରେ ସେମାନଙ୍କର ଟିକେଟ୍ ସୁରକ୍ଷିତ କରିପାରିବେ ।