Onn 3

ବିଜେପିରେ ମିଶିଲେ ଚିଲିକାର ବିଜେଡି ନେତା ଓ ଶତାଧିକ କର୍ମୀ

State

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଏବଂ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ନିଳାଦ୍ରୀପ୍ରସାଦ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ଜାନି, ନାରାୟଣ ସାହୁ, ପିତବାସ ନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ରାଉତ, ରମେଶ ବେହେରା, ପବିତ୍ର ଜାନି, ଦିଗାମ୍ବର ସାମନ୍ତରାୟ, ସୁକଦେବ ଲେଙ୍କା ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି। ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ ବାଧକ ସାଜିଛି। ମୋଦୀ ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଆଗାମୀ ଦିନରେ ଓଡିଶାରେ ମଧ୍ୟ ଭାରତୀୟ ଜନତା ପାର୍ଟୀ ନିଶ୍ଚିତ ଭାବେ ଡବଲ୍ ଇଞ୍ଜିନ୍ ସରକାର ଗଠନ କରିବ। ଏହି ମିଶ୍ରଣ ପର୍ବ ଦଳର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ଉପସଭାପତି ବିଜୟ ବିଶ୍ୱାଳ, ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ, ବିଦ୍ୟୁତ କାଣ୍ଡି, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିତେନ୍ଦ୍ର କୁମାର ଭୋଳ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।