Onn 3

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଲା ଅର୍ଥ, ଆଉ ୮ ଜଣଙ୍କୁ ମିଳିଲା ଅନ୍ୟ ବିଭାଗ

National & International

ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା-ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେଇ ଗତ ମାସରେ ନିଜ ଦାଦା ତଥା ଦଳର ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କୁ ରାଜ୍ୟ ରାଜକୋଷର ଚାବି ପ୍ରଦାନ କରାଯାଇଛି।
ବିଦ୍ରୋହକୁ ନେଇ ଦୀର୍ଘ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗତ ମାସରେ ମହାରାଷ୍ଟ୍ର ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଥିବା ୮ ଜଣ ଏନସିପି ବିଧାୟକଙ୍କୁ ଶେଷରେ ଶୁକ୍ରବାର ସେମାନଙ୍କ ବିଭାଗ ମିଳିଛି।
ଯୋଜନା ବିଭାଗ ବ୍ୟତୀତ ଅଜିତ ପାୱାର ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅର୍ଥର ଦାୟିତ୍ୱ ତୁଲାଇବେ। ଛଗନ ଭୁଜବଳ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ ଏବଂ ଧର୍ମରାଓବାବା ଆତ୍ରାମ ଔଷଧ ଓ ପ୍ରଶାସନ (ଏଫଡିଏ) ବିଭାଗର ମନ୍ତ୍ରୀ ରହିବେ।
ସହଯୋଗ ବିଭାଗ ଦାୟିତ୍ବ ମନ୍ତ୍ରା ଦିଲୀପ ଓ୍ଵାଲେ୍‌ସ ପାଟିଲଙ୍କ ନେତୃତ୍ୱରେ ରହିବ ଏବଂ ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗ ଦାୟିତ୍ୱ ଦିଆଯାଇଛି। ହାସନ ମୁସରିଫ ମେଡିକାଲ ଶିକ୍ଷା ବିଭାଗର ମନ୍ତ୍ରୀ ରହିଥିବା ବେଳେ ଅନୀଲ ପାଟିଲ ରିଲିଫ ଓ ଥଇଥାନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳିବେ।
ଅଦିତି ତଟକରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପରିଚାଳନା କରିବାକୁ ଯାଉଛନ୍ତି, ସଞ୍ଜୟ ବନସୋଡେଙ୍କୁ କ୍ରୀଡ଼ା ଓ ଯୁବ କଲ୍ୟାଣ ଏବଂ ବନ୍ଦର ବିଭାଗ ମିଳିଛି।
ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ବିଭାଜନ ଏବଂ ପରେ ଗତ ମାସରେ ଏହି ୯ ଜଣ ବିଧାୟକଙ୍କୁ ଶିବସେନା-ବିଜେପି ସରକାରରେ ସାମିଲ କରାଯିବା ପରେ ଏହି ସବୁ ମନ୍ତ୍ରିମଣ୍ଡଳାର ବିଭାଗ ଆବଣ୍ଟନ କରାଯାଇଛି। ମନ୍ତ୍ରିମଣ୍ଡଳରେ ସଂପ୍ରସାରଣ ପରେ ବିଭାଗ ବଣ୍ଟନକୁ ନେଇ ଜୋରଦାର ବିତର୍କ ଆରମ୍ଭ ହୋଇଥିବା ବେଳେ ମେଣ୍ଟର କିଛି ପୁରୁଣା ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଶିବସେନା ମୁଖପାତ୍ର ସଞ୍ଜୟ ଶିରସ୍ତା କହିଛନ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନ ହେବା ନିଶ୍ଚିତ, ଏହା କେବଳ ସମୟର କଥା ଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଧାୟକଙ୍କ ସଂଖ୍ୟା ଏବଂ ଉପଲବ୍ଧ ବାସ୍ତବ ପଦବୀରେ ଅସନ୍ତୁଳନକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ସୁରୁଖୁରୁରେ ଚାଲିବ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି।
ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳ ନେତା ଅମ୍ବଦାସ ଦାନଭେ କହିଛନ୍ତି, ବିଜେପି କର୍ମୀଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି। ତିନି ଦଳର ବିଧାୟକଙ୍କ ଆଶା ପୂରଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଶିବସେନାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ସମ୍ଭାବ୍ୟ ଅବହେଳାକୁ ନେଇ ମଧ୍ୟ ଶ୍ରୀ ଦାନଭେ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତ ଚିନ୍ତା ପ୍ରକଟ କରିଛନ୍ତି।