Onn 3

ତିନିଦିନିଆ ନାଟକ ମହୋତ୍ସବ ଉଦଯାପିତ

Religion and Cult State

ଶେଷ ସନ୍ଧ୍ୟାରେ ଶୋଭା, ବାଲେଶ୍ୱରର ନାଟକ ବିଷକୁମ୍ଭ

ବାରିପଦା :ସ୍ଥାନୀୟ ସହିଦ ଭବନରେ ସୁପରିଚିତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ କୁମାର୍ସ କ୍ଲବ ଓ ରୂପାନ୍ତରର ମିଳିତ ସହଯୋଗରେ ଆୟୋଜିତ ତିନିଦିନିଆ ନାଟକ ମହୋତ୍ସବର ଶେଷ ସନ୍ଧ୍ୟାରେ ବାଲେଶ୍ୱରର ଶୋଭା ନାଟ୍ୟସଂସ୍ଥା ଦ୍ୱାରା ନାଟକ ବିଷକୁମ୍ଭ ମଞ୍ଚସ୍ଥ ହୋଇଯାଇଛି I ଡ଼ଃ ପ୍ରଦୀପ ଭୌମିକଙ୍କ ରଚିତ ଓ ଅର୍ଣ୍ଣବ କୁମାର କରଙ୍କ ନିର୍ଦ୍ଦେଶିତ ନାଟକରେ ଆଶିଷ କୁମାର ବର୍ଦ୍ଧନ, ଅର୍ଣ୍ଣବ କୁମାର କର, ଶୁଭଙ୍କର ବର୍ଦ୍ଧନ, ମଦନ ମୋହନ ସାହୁ, ଅନନ୍ତ ଚାନ୍ଦ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ସୁବ୍ରତ ଧଳ, ସୁରଜ କାନ୍ତ ରଣା ଓ ସୁସ୍ମିତା ରଣା ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ବେଳେ ବିଶିଷ୍ଟ ଗୀତିକାର ରମାକାନ୍ତ ଦାସ କଣ୍ଠଦାନ, ସଂଗୀତ ପରିଚାଳନା ଗୁରୁ ନନ୍ଦ କିଶୋର ଦାସ ଓ ସନ୍ତୋଷ ଦାସ, ମଞ୍ଚ ଓ ରୂପସଜ୍ଜା ସନ୍ତୋଷ କମିଳା ତଥା ଅଜୟ କୁମାର ଆଚାର୍ଯ୍ୟ ଆଲୋକ ସମ୍ପାଦନା କରିଥିଲେ I

ଦୁଇ ଭିନ୍ନଭିନ୍ନ ଧର୍ମର ଦମ୍ପତି ଗୋଟିଏ ଛାତତଳେ ଦୁଇ ଧର୍ମର ସହାବସ୍ଥାନର ଆଦର୍ଶ ଉଦାହରଣ ସୃଷ୍ଟି କରନ୍ତି I ମାତ୍ର ଏହି ବିବାହକୁ ନେଇ ସମାଜରେ ନାନାଦି ବ୍ୟଙ୍ଗ, ବିଦ୍ରୁପ, ଆଲୋଚନା ଓ ସମାଲୋଚନା ଦେଖିବାକୁ ମିଳିଥିଲା I ହେଲେ ସମସ୍ୟା ଦେଖାଦିଏ ଯେତେବେଳେ କାହ୍ନୁ ପଣ୍ଡାର ଆଦରର ଭଉଣୀର ବାହାଘର ପ୍ରସ୍ତାବ ଭାଙ୍ଗିବାକୁ ଲାଗେ I ଶେଷରେ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ହୁଏ ଓ ସାନଭଉଣୀ ଆତ୍ମହତ୍ୟା କରେ I ନାଟକଟି ଏତେ ଜୀବନ୍ତ ହୋଇଥିଲା ଯେ ସମସ୍ତ ଦର୍ଶକ ବିମୋହିତ ହୋଇଯାଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାରାଣ୍ଡି ଓ ସମ୍ମାନିତ ଅତିଥି ଭାବେ ଇ ବିପ୍ଳବ ଭୁଗୁଡେଇ ଶେଷ ସନ୍ଧ୍ୟାର ନାଟକର ଶୁଭ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ସ୍ବର୍ଗତ ତ୍ରିପାଠୀଙ୍କ ସହଧର୍ମିଣୀ ପ୍ରାଧ୍ୟାପିକା ଉଷସୀ ମିଶ୍ର, ନାଟକ ମହୋତ୍ସବର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ, ରୂପାନ୍ତରର ପ୍ରତିଷ୍ଠାତା ପରେଶ ସାହୁ ଓ କୁମାର୍ସ କ୍ଲବର ସମ୍ପାଦକ ସପନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I