Onn 3

ଦୂଷିତ ପାଣିରେ ଗାଧେଇବା ପଡ଼ିଲା ମହଙ୍ଗା, ନାବାଳକର ନାକରେ ପଶି ମସ୍ତିଷ୍କ ଖାଇଗଲା ଏମିବା

National & International

ତିରୁବନନ୍ତପୁରମ: ଦୂଷିତ ପାଣିରେ ଗାଧେଇବା ପଡ଼ିଲା ମହଙ୍ଗା। ନାବାଳକର ନାକରେ ପଶି ମସ୍ତିଷ୍କ ଖାଇଗଲା ଏମିବା। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି କେରଳର ଆଲପୁଜ୍ଜା ଜିଲ୍ଲାରେ। ଏଠାରେ ଜଣେ ୧୫ବର୍ଷୀୟ ବାଳକର ମୁଣ୍ଡକୁ ଏମିବା ଖାଇଯିବାରୁ ତା’ର ମୃତ୍ୟୁ ହୋଇଛି।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ କହିବାନୁସାରେ, ନିକଟସ୍ଥ ଆଲପୁଜ୍ଜା ଜିଲ୍ଲାର ପନ୍ନାବଲ୍ଲୀରେ ରହୁଥିବା ଜଣେ ୧୫ବର୍ଷର ବାଳକ ପ୍ରାଇମେରୀ ଅମିବିକ୍ ମେନିଙ୍ଗୋଏନ୍ସଫାଲାଇଟିସ୍ ନାମକ ଏକ ରୋଗରେ ସଂକ୍ରମିତ ଥିଲେ। ଏହାପୂର୍ବରୁ ରାଜ୍ୟରେ ୫ଜଣ ଏହି ବିରଳ ସଂକ୍ରମଣର ଶିକାର ହୋଇଥିଲେ। ପ୍ରଥମେ ୨୦୧୬ ମସିହାରେ ଆଲପୁଜ୍ଜାର ତିରୁମାଲା ୱାର୍ଡରେ ଜଣେ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ତା’ପରେ ୨୦୧୯ ଏବଂ ୨୦୨୦ରେ, ମଲପ୍ପୁରମରୁ ଦୁଇ ଜଣ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥିବା ‌ବେଳେ ୨୦୨୦ ଏବଂ ୨୨ରେ, କୋଜିକୋଡେ ଏବଂ ଥ୍ରିସୁରରେ ୨ଜଣ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଜମା ଥିବା ପାଣିରେ ଏକ ପ୍ରକାରର ଏମିବା ରହିଥାଏ। ଏହାର ସଂଶ୍ପର୍ଷରେ ଆସିବା ଦ୍ବାରା ପ୍ରାଇମେରୀ ଅମିବିକ୍ ମେନିଙ୍ଗୋଏନ୍ସଫାଲାଇଟିସ୍ ହୁଏ। ଅତୀତରେ ମଧ୍ୟ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥିବା ସମସ୍ତ ରୋଗୀଙ୍କ ମୃତ୍ୟୁ ହୋଇଛି।
ତେବେ ବାଳକର ମୃତ୍ୟୁ ହେବା ପରେ ଏବେ ଦୂଷିତ ପାଣିରେ ନଗାଧେଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଜଣେ ଏହି ରୋଗରେ ଆକ୍ରାନ୍ତ ହେଲେ ଜ୍ୱର, ମୁଣ୍ଡବିନ୍ଧା ଓ ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଇଥାଏ। ଆକାରରେ ଛୋଟ ହୋଇଥିଲେ ବି ନେଗ୍ଲେରିଆ ଫୋଉଲେ ନାମକ ଏମିବା ମସ୍ତିଷ୍କ ଭିତରକୁ ଯାଇ ମଣିଷକୁ ମାରିବାର କ୍ଷମତା ରଖିଛି।