Onn 3

ଦକ୍ଷିଣ ଭାରତୀୟ କମ୍ପାନୀ ଦ୍ବାରା ଓଡିଶା ସରକାର ପରିଚାଳିତ: କେନ୍ଦ୍ରମନ୍ତ୍ରୀ ଟୁଡୁ

Politics State

ଭୁବନେଶ୍ୱର: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ଅଗଣତାନ୍ତ୍ରିକ ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।

ଗୁରୁବାର ମାଲକାନଗିରିର ଖଇରିପୁଟ ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ ଅବସରରେ ଟୁଡୁ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାର ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ପୂର୍ବର ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ତୁଳନା କରିଛନ୍ତି।

ଅତୀତରେ ଇଷ୍ଟ-ଇଣ୍ଡିଆ କମ୍ପାନୀ ଭଳି ଏବେ ଓଡ଼ିଶା ମଧ୍ୟ ସାଉଥ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି ବୋଲି ଟୁଡୁ କହିଛନ୍ତି। ଫାଇଭ-ଟି ଯଦି ସ୍ୱଚ୍ଛତାକୁ ସୂଚାଉଛି, ସମୟାନୁବର୍ତ୍ତିତାକୁ ସୂଚାଉଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶାସନର 23 ବର୍ଷ ପରେ ହିଁ ଏହାକୁ କାର୍ଯ୍ୟକାରୀ କରିଛନ୍ତି, ଏହାର ଅର୍ଥ ଓଡ଼ିଶା ସରକାରଙ୍କ ପାଖରେ ଏହା ପୂର୍ବରୁ କୌଣସି କାମ ଠିକ ନଥିଲା। ଫାଇଭ- ଟି କ’ଣ ଓ ଏହାର ଉଦ୍ଦେଶ୍ୟ କ’ଣ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ।

ପାଣ୍ଡିଆନ ଜଣେ ରାଜନେତାଙ୍କ ଭଳି କାମ କରିବା ସହ ଅନେକ ଜିଲ୍ଲାକୁ ହେଲିକପ୍ଟର ଯାତ୍ରାରେ ଯାଉଥିବା ଅଭିଯୋଗ କରିଛନ୍ତି ଟୁଡୁ। ଫାଇଭ-ଟି ସଚିବ ଯେଉଁଭଳି ଭାବେ ବିଭିନ୍ନ ଜିଲ୍ଲାକୁ ହେଲିକପ୍ଟର ଯାତ୍ରା କରି ରାଜନେତାଙ୍କ ଭଳି କାମ କରୁଛନ୍ତି, ତାହା ଗଣତନ୍ତ୍ର ପାଇଁ ସୁସ୍ଥକର ନୁହେଁ ବୋଲି ସେ କହିଛନ୍ତି। ବିଜେଡିର ଏହି ଚକ୍ରାନ୍ତକୁ ଓଡ଼ିଶାବାସୀ ବୁଝି ସାରିଛନ୍ତି ଏବଂ ଆଗାମୀ ନିର୍ବାଚନରେ ସେମାନେ ନିଶ୍ଚିତ ଭାବେ ଉପଯୁକ୍ତ ଢଙ୍ଗରେ ଏହାର ଜବାବ ଦେବେ ବୋଲି କହିଛନ୍ତି।

ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଆଇଏଏସ ଚାକିରି ନିୟମର ଉଲ୍ଲଙ୍ଘନ ହୋଇଥିବା ବିଜେପି ପକ୍ଷରୁ କାର୍ମିକ ପ୍ରଶିକ୍ଷଣ ବିଭାଗରେ ଅଭିଯୋଗ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ପାଣ୍ଡିଆନ ରାଜ୍ୟ ବିମାନ/ହେଲିକପ୍ଟର ବ୍ୟବହାର କରି ରାଜ୍ୟବ୍ୟାପୀ ଘୂରି ବୁଲୁଛନ୍ତି ଏବଂ ସାଧାରଣ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସେ ନୂଆ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି ଏବଂ ତାଙ୍କ ନିଜସ୍ୱ ଦାବି ଅନୁଯାୟୀ, ଏସବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି।

ପାଣ୍ଡିଆନଙ୍କ ବିରୋଧରେ ଏହି ନିୟମ ଉଲ୍ଲଘଂନ ଅଭିଯୋଗର ସମାଧାନ ପାଇଁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି। ଏବେ ଦେଖିବାକୁ ବାକି ରହିଲା ଓଡ଼ିଶା ସରକାର କିଭଳି ଗ୍ରହଣ କରୁଛନ୍ତି।