Onn 3

ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟବନ୍ଦ ଆନ୍ଦେଳନ ପ୍ରତ୍ୟାହାର କଲେ ବନ କର୍ମଚାରୀ

State

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବନ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏହାପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ବନ ସେବା ସଂଘର ସାଧାରଣ ସମ୍ପାଦକ ଦିଲୀପ ମିଶ୍ର କହିଛନ୍ତି, ସରକାରଙ୍କ ସହ ଆଲୋଚନା ଓ ଲିଖିତ ପ୍ରତିଶ୍ରୁତି ପରେ ସମୁହ ଆନ୍ଦୋଳନ ଓ ଧର୍ମଘଟ ନିଷ୍ପତ୍ତିରୁ ଓହରିଛୁ।

ବିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଦ୍ୱାରା ଦୁଇ ଜଣ ବନରକ୍ଷୀଙ୍କୁ ହତ୍ୟା କରାଯିବା ପରେ ସୁରକ୍ଷା ସମେତ ୭ ଦଫା ଦାବି ନେଇ ସଙ୍ଘ ପକ୍ଷରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ ହୋଇଥିଲା।

ସିଆରପିସିର ଧାରା ୧୯୭ ଅନୁଯାୟୀ ବନ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ଏହାବ୍ୟତୀତ ବନ ବିଭାଗରେ ୧,୫୭୦ଟି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ପାଟ୍ରୋଲିଂ ସମୟରେ ସୁରକ୍ଷା ପାଇଁ ବନ୍ଧୁକ ଯୋଗାଇ ଦେବା ସହ ସଙ୍ଘର ଅନ୍ୟ ଦାବି ପୂରଣ ପାଇଁ ସରକାର ଘୋଷଣା କରିଛନ୍ତି।

ସେପଟେ ମୟୂରଭଞ୍ଜ ଜିଲ୍ଲାରେ ଜଙ୍ଗଲ ସୁରକ୍ଷା ସହାୟତା କାର୍ଯ୍ୟ ବନ୍ଦ କରିବା ସହ ସେମାନଙ୍କ ସ୍ଥାନରେ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ।

ବାରିପଦା ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ଯୋଶୀ ଚିଠି ନମ୍ବର ୪୮୬୦/T୬-୭-୨୩ରେ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତ ରେଞ୍ଜ ଅଞ୍ଚଳରେ ଜଙ୍ଗଲ ସୁରକ୍ଷା ସହାୟତା ବଦଳରେ ସ୍ଥାୟୀ ଶ୍ରମିକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାଷ୍ଟର ରୋଲ୍ ମାଧ୍ୟମରେ ନୂଆ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।