Onn 3

ମୟୂରଭଞ୍ଜରେ ପାଳିତ ହେଲା ଜିଲ୍ଲାସ୍ତରୀୟ ବନ ମହୋତ୍ସବ

State

ବାରିପଦା : ୭୪ତମ ବନ ସପ୍ତାହ ଅବସରରେ ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ରେ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ସ୍ଥିତ ସଂକଳ୍ପ ଭବନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ତୋଷ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୈଠକରେ ବନମହୋତ୍ସବ ପାଳନର ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲା ବନ ବିଭାଗ ତରଫରୁ ବିଜୁ ପଟ୍ଟନାୟକ ବନ ସୁରକ୍ଷା ଏବଂ ସଂରକ୍ଷଣ ପୁରସ୍କାର ବିଭିନ୍ନ ବନ ସୁରକ୍ଷା ସମିତି ମାନଙ୍କୁ ପ୍ରଦାନ କରାଯାଇଥିଲା।

ନିଜ ଅଭିଭାଷଣରେ ଶ୍ରୀ ଯୋଶୀ ବନ ସୁରକ୍ଷା ଏବଂ ବୃକ୍ଷ ରୋପଣ ର ଉପାଦେୟତା ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ ବୃକ୍ଷରୋପଣ ଏକ ସାମୁହିକ କର୍ତ୍ତବ୍ୟ ହେବା ଦରକାର ଯାହା ସମସ୍ତଙ୍କ ପାଇଁ ଏକ ସଚେତନତାର ବାର୍ତ୍ତା ବହନ କରିବ।

” ଏହା ସହିତ, ଆମେ ଜିଲ୍ଲାରେ ୫୦୦ ବିଦ୍ୟାଳୟ ଚୟନ କରିଛୁ ଯେଉଁଥିରେ ଆମର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୃଷକ ମାନଙ୍କୁ ମଧ୍ୟ କମ୍ ଦରରେ ୧୩ ଲକ୍ଷ୍ ଚାରା ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଅଁଳା, ଗମ୍ଭାରୀ, ପଣସ, ଆମ୍ବ ତଥା ଶାଗୁଆନ ଭଳି ଉପାଦେୟ ଗଛ ମାନଙ୍କ ର ରୋପଣ ହେବା ଫଳରେ ପରିବେଶର ସନ୍ତୁଳନତା ବଜାୟ ରହିବ। ମୟୂରଭଞ୍ଜ ଯାହା ୨୦୨୧-୨୨ ରେ ଉତ୍ତମ ଅଂଚଳ ବନ ବିସ୍ତୃତିକରଣ କରି ପାରିଛି ଏବଂ ଆଶା କରୁଛି ଆମର ଏହି ପଦକ୍ଷେପ ଦ୍ଵାରା ଆମ ଜିଲ୍ଲାରେ ବନାଞ୍ଚଳ ବଢିବ ବୋଲି ଶ୍ରୀ ଯୋଶୀ କହିଥିଲେ।

ସେହିପରି, ଡେପୁଟୀ ଡାଇରେକ୍ଟର, ସାଉଥ୍ ରେଞ୍ଜ, ଶ୍ରୀ ସମ୍ରାଟ ଗୌଡା ପରିବେଶ ସୁରକ୍ଷା ସମ୍ପର୍କରେ ସମସ୍ତ ବିଭାଗୀୟ କର୍ମଚାରୀ ତଥା ଗଣମାଧ୍ୟମ ସଂସ୍ଥା ମାନଙ୍କୁ ପ୍ରଚାର ଏବଂ ଏହାର ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟତମ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ, ଶିମିଳିପାଳ ଉତ୍ତର ବନଖଣ୍ଡ ଅଧିକାରୀ, ଶ୍ରୀ ସାଇ କିରଣ କହିଥିଲେ ଯେ ଏହି ଧାରାରେ ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଏହି ସବୁ କାର୍ଯ୍ୟକ୍ରମ କରାଇଲେ, ସେମାନଙ୍କ ମାଧ୍ୟମରେ ଜନସାଧାରଣ ମାନଙ୍କୁ ସଚେତନତାର ବାର୍ତ୍ତା ଦେଇ ହେବ। ଏହି ପରିପ୍ରେକ୍ଷୀ ରେ ବିଜୁ ପଟ୍ଟନାୟକ ବନ ସୁରକ୍ଷା ଏବଂ ସଂରକ୍ଷଣ ପୁରସ୍କାର ୪ଟି ବନ ସୁରକ୍ଷା ସମିତି ମାନଙ୍କୁ ପ୍ରଦାନ କରାଯାଇଥିଲା। ସୂଚନା ଥାଉକି, ଏହି ବନମହୋତ୍ସବ କାର୍ଯ୍ୟକ୍ରମର ଆରମ୍ଭ ସମସ୍ତ ବନ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ବାରିପଦାରେ ବୃକ୍ଷରୋପଣ କରିବା ସହିତ ଆରମ୍ଭ ହୋଇଥିଲା।

କାର୍ଯ୍ୟକ୍ରମକୁ ବାରିପଦାର ବନଖଣ୍ଡର ଏ ସି ଏଫ , ଶ୍ରୀ ରବି ନାରାୟଣ ମହାନ୍ତି ପରିଚାଳନା କରିଥିବା ବେଳେ ଏ ସି ଏଫ ଶ୍ରୀ ଦିଲ୍ଲୀପ କୁମାର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ବନ ବିଭାଗର ସମସ୍ତ ଅଧିକାରୀଙ୍କ ସମେତ ବନ ସୁରକ୍ଷା ସମିତି ର କର୍ମ କର୍ତ୍ତା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, କପ୍ତିପଦା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଯୋଗଦାନ କରିଥିଲେ।