Onn 3

ଅଜିତଙ୍କୁ ଝଟକା: ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିବା ଦୁଇ ବିଧାୟକଙ୍କ ୟୁ ଟର୍ଣ୍ଣ

National & International

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ବନ୍ଦ ହେବାର ନାମ ନେଉନାହିଁ | ତାଜା ସୂଚନା ମୁତାବକ ଗତକାଲି ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଝଟକା ଦେଇଥିବାବେଳେ ଆଜି ଅଜିତଙ୍କୁ ଝଟକା ଲାଗିଛି | ବାସ୍ତବରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ପରେ ୟୁ-ଟର୍ଣ୍ଣର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅଜିତ ପାୱାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ଜଣ ବିଧାୟକ ପୁଣି ଶରଦଙ୍କ ଟିମକୁ ଫେରିଛନ୍ତି। ଅଜିତ ପାୱାରଙ୍କ ସମର୍ଥନରେ ଗତକାଲି ସାମ୍ନାକୁ ଆସିଥିବା ବିଧାୟକ ଦିଲୀପ ମୋହିତ ପାଟିଲ ଆଜି ଦାବି କରିଛନ୍ତି ଯେ ଅଜିତ ପାୱାର ଗତକାଲି ବିଧାୟକଙ୍କ ଦସ୍ତଖତ ନେଇଥିଲେ । କିନ୍ତୁ ସେ ଏଭଳି କରିବେ ବୋଲି ଜାଣିନଥିଲେ | ଆମେ ତାଙ୍କ ପଦକ୍ଷେପ ସହିତ ସହମତ ନୁହଁ। ଗତକାଲି ଶପଥ ଗ୍ରହଣ ସମାରୋହରେ ଦିଲୀପ ମୋହିତ ପାଟିଲ ଉପସ୍ଥିତ ଥିଲେ। ଦିଲୀପ ମୋହିତଙ୍କ ବ୍ୟତୀତ, ଆଜି ଏନସିପି ବିଧାୟକ ମକରନ୍ଦ ପାଟିଲ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ନଜର ଆସିଛନ୍ତି । ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ମକରନ୍ଦ ପାଟିଲ ଯୋଗ ଦେଇଥିଲେ ଏବଂ ଆଜି ଶରଦ ପାୱାରଙ୍କ କାରରେ ବସିଥିବାର ନଜର ଆସିଥିଲେ।
ଅନ୍ୟପଟେ ଶପଥ ନେଇଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ଦଳରୁ ବରଖାସ୍ତ କରିଛି। ମହାରାଷ୍ଟ୍ର ଏନସିପି ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ ଦଳର ପ୍ରତୀକ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ, ଯଦି ଏପରି କରାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଏନସିପି ପକ୍ଷରୁ ପ୍ରଫୁଲ୍ଲ ପଟେଲ ଏବଂ ସୁନୀଲ ତଟକରେଙ୍କୁ ଏନସିପିରୁ ଶରଦ ପାୱାର ହଟାଇ ଦେଇଛନ୍ତି। ଶରଦ ପାୱାର କହିଛନ୍ତି ଯେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ଭାବରେ ମୁଁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଏନସିପି ଦଳର ସଦସ୍ୟଙ୍କ ରେଜିଷ୍ଟରରୁ ସୁନୀଲ ତଟକରେ ଏବଂ ପ୍ରଫୁଲ ପଟେଲଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଦେଇଛି।