Onn 3

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଜେପିର ଆନ୍ଦୋଳନ ଚେତାବନୀ

State

ଆଗରପଡ଼ା: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବାକୁ ନେଇ ଲାଗିରହିଥିବା ସମସ୍ୟାର ଯଦି ସମାଧାନ ଖୁବ ଶିଘ୍ର କରାନଯାଏ ତେବେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରାଯିବ ବୋଲି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବିଜେପି ନେତା ବଦ୍ରୀନାରାୟଣ ଧଳ,ପୂର୍ବତନ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ,ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କ ଠାରେ ସମସ୍ୟା ଉପସ୍ଥାପନ କରିବା ସହ ଚେତାବନୀ ଦେଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ; ଯେଉଁଠି ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର ସେଠାରେ ଜଣିଏ ମାତ୍ର ଡ଼ାକ୍ତର ରୋଗୀ ସେବା କରିବା । ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଡ଼ାକ୍ତର ସମସ୍ୟା ପ୍ରତି ଦୃଷ୍ଟି ନଦେଦା ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ନବକଳେବର ଯୋଜନା ପ୍ରହସନରେ ପରିଣତ ହେବାକୁ ଯାଉଛି ।

୧୯୯୨ ମସିହାରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଶିଶୁ ବିଭାଗ ବିଶେଷଜ୍ଞଙ୍କ ଅବସର ପରେ ଉକ୍ତ ବିଭାଗ ସମେତ ଅସ୍ତ୍ରୋପଚାର ଓ ମେଡ଼ିସିନ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି । ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ାକ୍ତର(ଡ଼େପୁଟେସନ) ୩ଦିନ ପାଇଁ ଏଠାକୁ ଆସୁଥିବାବେଳେ ନିଯୁକ୍ତି ପାଇଥିବା ୪ଜଣ ଏମବିବିଏସ ଡ଼ାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ଏଠାରେ ୨ଜଣ କାର୍ଯ୍ୟରତ ଅଛନ୍ତି ।

ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱ ଅର୍ପଣ କରାଯାଇଥିବାରୁ ଅନ୍ୟ ଜଣଙ୍କ ସମେତ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଛନ୍ତି । ଏଠାରେ ଡ଼ାକ୍ତରଙ୍କ ଅଭାବ ଲାଗି ରହିଥିବାରୁ ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଛି । ୩ଜଣ ଫାର୍ମାସିଷ୍ଟ ଙ୍କ ମଧ୍ୟରୁ ଜଣେ ଫାର୍ମାସିଷ୍ଟଙ୍କୁ ଅନ୍ୟତ୍ର ଡ଼େପୁଟେସନରେ ପଠାଯାଇଛି । ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ଆବଶ୍ୟକୀୟ ଡ଼ାକ୍ତର ନିଯୁକ୍ତି ନକଲେ ଏହା ମୂଲ୍ୟହୀନ ହୋଇପଡ଼ିବା ହେବ ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ୨ ବିଶେଷଜ୍ଞ ଡ଼ାକ୍ତର ଯଥାଶିଘ୍ର କାର୍ଯ୍ୟରେ କିପରି ଯୋଗ ଦେବେ ସେଥିପ୍ରତି ବିହିତ ପଦକ୍ଷେପ ନେବା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।