ନୂଆଦିଲ୍ଲୀ: ବାଲେଶ୍ୱରର ବହାନଗା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହେବାର ମାସକ ପରେ ଏହି ଦୁର୍ଘଟଣାର ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନର (ସିଆରଏସ୍) ସିଗନାଲ ବିଭାଗର କର୍ମଚାରୀଙ୍କ ମାନବିକ ତ୍ରୁଟିକୁ ଦାୟୀ କରିବା ସହ ଯାନ୍ତ୍ରିକ ତ୍ରୁଟି କିମ୍ବା ମେସିନ୍ରେ ତ୍ରୁଟି ଦେଖାଦେବାର ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ଦୁର୍ଘଟଣାରେ ଅପରାଧିକ ଷଡ଼ଯନ୍ତ୍ରର ସମ୍ଭାବନା ନେଇ ତଦନ୍ତ ଜାରି ରଖିଛି।
ବିଶେଷ କରି ତିନି ବର୍ଷ ତଳେ ନିରାପତ୍ତା କାରଣରୁ ଡିଜାଇନ୍ରେ ପରିବର୍ତ୍ତନ ହେବା ପରେ ଯାଞ୍ଚର ପର୍ଯ୍ୟାପ୍ତ ସୁରକ୍ଷା ପଦ୍ଧତି ଅନୁସରଣ କରାଯାଇ ନଥିବା କେତେକ ଗ୍ରାଉଣ୍ଡ ଅଧିକାରୀଙ୍କ ଅବହେଳାକୁ ଦର୍ଶାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ କେବଳ ସିଗନାଲିଂ ବିଭାଗରେ ନୁହେଁ, ଡିଜାଇନରେ ପରିବର୍ତ୍ତନ ଆଣି ନଥିବା ଅନ୍ୟମାନଙ୍କ ସୁରକ୍ଷା ପ୍ରକ୍ରିୟା ପ୍ରତି ଅବହେଳାକୁ ଦର୍ଶାଯାଇଛି ଏବଂ ରେଳ ମନ୍ତ୍ରାଳୟ ସଂପୃକ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି।
‘କେନ୍ଦ୍ରୀୟ ଡାଇଗ୍ରାମ ସର୍କିଟରେ ହୋଇଥିବା ପରିବର୍ତ୍ତନକୁ ପ୍ରତିଫଳିତ କରିବାରେ ବିଫଳ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ କରାଯାଇଥିବା ବାର୍ଷିକ ଯାଞ୍ଚ ମଧ୍ୟ ତାହାକୁ ପ୍ରତିଫଳିତ କରି ନଥିଲା। ତେଣୁ ଏହା ଜଣେ ବ୍ୟକ୍ତିଙ୍କ ଭୁଲ ନୁହେଁ, ବରଂ ଅତି କମରେ ୫ ଜଣଙ୍କର ତ୍ରୁଟି ରହିଥିବା ସାମ୍ନାକୁ ଆସିଛି’ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ବଡ଼ ରେଳ ଦୁର୍ଘଟଣାରେ କୋଲକାତା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଏବଂ ଗୋଟିଏ ମାଲବାହୀ ଟ୍ରେନ୍ ସାମିଲ ହୋଇଥିଲେ।
ଯଦିଓ ସିଆରଏସ ରିପୋର୍ଟରେ ବିଶୃଙ୍ଖଳାର ସଙ୍କେତ ନାହିଁ, ଅଧିକାରୀମାନେ କହିଛନ୍ତି ଯେ ସିବିଆଇ ତଦନ୍ତ ଉପରେ କୌଣସି ପ୍ରଭାବ କିମ୍ବା ହସ୍ତକ୍ଷେପ ନ ହେବା ସୁନିଶ୍ଚିତ କରିବା ପାଇଁ ରେଳବାଇ ସିଆରଏସ ରିପୋର୍ଟକୁ ସାର୍ବଜନୀନ କରିବ ନାହିଁ ଯାହା ବିଶୃଙ୍ଖଳା ଦୃଷ୍ଟିକୋଣକୁ ମଧ୍ୟ ସମସ୍ୟା ସୃଷ୍ଟି କରିବ।
ସିଆରଏସ ରିପୋର୍ଟର ଫଳାଫଳ ଏବଂ ପରବର୍ତ୍ତୀ ସିବିଆଇ ରିପୋର୍ଟ ଭାରତୀୟ ରେଳବାଇକୁ ଏହାର ସୁରକ୍ଷା ପ୍ରଣାଳୀକୁ ପୁନଃ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିବ ବୋଲି ଅଧିକାରୀମାନେ କହିଛନ୍ତି ଏବଂ ରେଳବାଇ ଇସ୍ପାତ ଶିଳ୍ପରେ ବ୍ୟବହୃତ ସର୍ବୋତ୍ତମ ଜ୍ଞାନକୌଶଳ ଏବଂ ସମଗ୍ର ବିଶ୍ୱରେ ବ୍ୟବହୃତ ରେଳ ସୁରକ୍ଷା ପ୍ରଣାଳୀ ଉପରେ ନଜର ରଖିଛି।
‘ସିଗ୍ନାଲ୍ ଉପରେ ନିର୍ଭର କରି ଟ୍ରେନ୍ର ବେଗ ନିର୍ଦ୍ଧାରଣ କରୁଥିବା ଡ୍ରାଇଭରଙ୍କ ତ୍ରୁଟିକୁ ରୋକିବା ପାଇଁ ଆମେ ଆଣ୍ଟି-କଲିସନ୍ ଡିଭାଇସ୍ ବ୍ୟବହାର କରୁଛୁ। ଏବଂ ଗତ ଦୁଇ ବର୍ଷ ହେବ ମାଇକ୍ରୋ ଫ୍ରାକ୍ଚର ଚିହ୍ନଟ କରିବା ପାଇଁ ଟ୍ରାକ୍ର ଅଲଟ୍ରାସାଉଣ୍ଡ ପରୀକ୍ଷା ମଧ୍ୟ ଏକ ପ୍ରମୁଖ ଫୋକସ୍ ହୋଇଛି। ରେଳ ସୁରକ୍ଷାରେ ଟ୍ରାକ୍ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବାଲେଶ୍ୱରରେ ଘଟିଥିବା ଅଘଟଣକୁ ରୋକିବା ପାଇଁ ରେଳ ନେଟୱାର୍କରେ ଇଲେକ୍ଟ୍ରୋନିକ୍ ରିଲେ ସିଷ୍ଟମର ବ୍ୟାପକ ବ୍ୟବହାର ଉପରେ ଆମେ ନଜର ରଖିଛୁ। ରେଳ ସୁରକ୍ଷା ପାଇଁ ଏହା ହେଉଛି ସବୁଠାରୁ ସୁଦୃଢ଼, ପରୀକ୍ଷିତ ବ୍ୟବସ୍ଥା’ ବୋଲି ଜଣେ ଅଧିକାରୀ କହିଛନ୍ତି।
ସମଗ୍ର ଦେଶରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ୩ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ ଏବଂ ନିରାପତ୍ତା ନେଇ କୌଣସି ଆପୋଷ ବୁଝାମଣା ନ ହେବା ପାଇଁ ରେଳବାଇ ଓ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।
କିଛି ଦିନ ତଳେ ରେଳବାଇ ବୋର୍ଡ ଟ୍ରେନ୍ ନିୟନ୍ତ୍ରଣ ବ୍ୟବସ୍ଥା ସହ ଏହାର ସମସ୍ତ ରିଲେ ରୁମ୍ ପାଇଁ ଡବଲ୍ ଲକିଂ ବ୍ୟବସ୍ଥା ଆରମ୍ଭ କରିଛି।