Onn 3

ବାରିପଦା ବିଇଓ ଓ ଏବିଇଓ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

State

ବାରିପଦା: ସ୍ଥାନୀୟ ଆରତୀ ବିଦ୍ୟାମନ୍ଦିର ପ୍ରାଥମିକ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ତଥା କାର୍ଯ୍ୟାଳୟର କର୍ମଚାରୀ ମିଳିତ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରଭାତୀ ପଟ୍ଟନାୟକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସାରଳା ଶତପଥୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ବ୍ଲକ ସମ୍ପାଦକ ସିଦ୍ଧେଶ୍ୱର ମିଶ୍ର ଓ ସଭାପତି ପ୍ରଦୀପ ନାଥ, ଶିକ୍ଷକ ନାରାୟଣ କିଙ୍କର ଦତ୍ତ, ଶିକ୍ଷୟତ୍ରୀ ରତ୍ନା ବାନାର୍ଜୀ, ବବିତା ସାହା, ନିର୍ମଳା ବେହେରା, ସି ଆର ସି ସି ଗୀତିକା ବେହେରା, ଆରତୀ ପାଣି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଡ଼ଃ ସ୍ନେହଲତା ବେହେରା, ଟି ସି ସୁବାଷ ଚନ୍ଦ୍ର ଜିତବାବୁ ଓ ସେକ୍ସନ ଅଫିସର ପତିତପାବନ ମହାପାତ୍ର ପ୍ରମୁଖ ଉଭୟ ପ୍ରଶାସିକାଙ୍କ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ I

ଶ୍ରୀମତୀ ପଟ୍ଟନାୟକ ଏକଦା ବେଲଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଥିବାବେଳେ ପରବର୍ତ୍ତୀ ସମୟରେ ସେହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଚାକିରୀ ଆରମ୍ଭ କରି ବାରିପଦା ମ୍ୟୁନିସିପାଲିଟିର ବିଦ୍ୟାଳୟ ଉପ ପରିଦର୍ଶକ, ବି ଆର ସି ସି, ଏ ବି ଇ ଓ ଏବଂ ଶେଷରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ହୋଇ ତଥା ଶ୍ରୀମତୀ ଶତପଥୀ ମଧ୍ୟ ଜଣେ ସହକାରୀ ଶିକ୍ଷୟତ୍ରୀରୁ ଏବିଇଓ ହୋଇ ଅବସର ନେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଉଭୟେ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ, ଦାୟିତ୍ୱବାନ ଶିକ୍ଷୟତ୍ରୀ ତଥା ଦକ୍ଷ ପ୍ରଶାସିକା ଭାବେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମହଲରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ I ଉଭୟ ପ୍ରଶାସିକାଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା I ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଗଣ ଅବସର ନେଉଥିବା ଦୁଇ ଦକ୍ଷ ପ୍ରଶାସିକାଙ୍କୁ ବିଦାୟ ଦେବା ଅବସରରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଥିବାର ଲକ୍ଷ୍ୟ କରାଯାଇଥିଲା I ସି ଆର ସି ସି ଧନପତି ମିଶ୍ର, ଭବାନୀ ସିଂହ ତଥା ଶିକ୍ଷକ ଶୁଭେନ୍ଦୁ ବେହେରା, ସୁଶୀଲ ପଣ୍ଡା ଓ ସୌମ୍ୟ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I