ବାରିପଦା:ମାସାଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ଦୀର୍ଘଦିନର ଆନ୍ଦୋଳନ ସଫଳ ହୋଇଥିବାରୁ ଆଜି ବିଭିନ୍ନ କଲେଜର ଛାତ୍ରମାନେ ବାଇଗଣବାଡିଆରେ ପୁଷ୍ପଗୁଚ୍ଛଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଛନ୍ତି । ପ୍ରକାଶ ଥାଉକି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ସମସ୍ତ କଲେଜ ଗୁଡିକରେ ସାନ୍ତାଳୀ ବିଭାଗ ଖୋଲିବାପାଇଁ ଅନେକଥର ଆନ୍ଦୋଳନ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସ୍ଵୟଂଶାସିତ ମହାବିଦ୍ୟାଳୟ, ରୋହିଦାସ୍ ସରେନ ମହାବିଦ୍ୟାଳୟ କୁଣ୍ଡାବାଇ,ଉଦଳା ଓ ମୟୂରଭଞ୍ଜ କଲେଜ୍ ଅଫ୍ ଏକାଣ୍ଟାନ୍ସି ଏଣ୍ଡ ମ୍ୟାନେଜମେଣ୍ଟ ତକତପୁର,ବାରିପଦାରେ ଚଳିତ ଶିକ୍ଷା ବର୍ଷରୁ ସାନ୍ତାଳୀରେ ଅନର୍ସ ଖୋଲିବାକୁ ଯାଉଥିବାବେଳେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ଵରଠାରେ ଗତ ଶିକ୍ଷାବର୍ଷରୁ ସାନ୍ତାଳୀ ଅନର୍ସ ଆରମ୍ଭ ହୋଇଅଛି ।
ଏହି ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ବାରିପଦା, ଫକୀର ମୋହନ ବିଶ୍ବବିଦ୍ୟାଳୟ ବାଲେଶ୍ଵର କତ୍ତୃପକ୍ଷଙ୍କ ସମେତ ଉପରୋକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ନିକଟରେ ମାସାଆର୍ମି କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ସାନ୍ତାଳୀ ଭାଷାର ପାଠ୍ୟକ୍ରମ ପ୍ରଚଳନରେ ସେମାନଙ୍କର ବହୁମୂଲ୍ୟ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ ସହ ଦୀର୍ଘଦିନର ଦାବୀ ପୂରଣ ହୋଇଛିବୋଲି କହିଛନ୍ତି ଶ୍ରୀ ମୁର୍ମୁ । କିନ୍ତୁ ଅତ୍ୟକ୍ତ ଦୁଃଖର ସହ ଏହା ମଧ୍ୟ ପ୍ରକାଶ କରିବାକୁ ଚାହେଁ ଯେ, ସାନ୍ତାଳୀ ଅଧ୍ୟୁଷିତ ବାମନଘାଟି ସବଡିଭିଜନର କୌଣସି ଗୋଟିଏ ହେଲେ ମହାବିଦ୍ୟାଳୟରେ ଏଯାବତ୍ ସାନ୍ତାଳୀ ଅନର୍ସ ଖୋଲାଯାଇ ନାହିଁ ।
ଏପରିକି ରାଇରଙ୍ଗପୁର ମହାବିଦ୍ୟାଳୟରେ ବହୁ ସଂଖ୍ୟାରେ ସାନ୍ତାଳୀ ଭାଷାଭାଷୀ ଛାତ୍ରଛାତ୍ରୀମାନେ ଅଧ୍ଯୟନ କରୁଥିଲେ ହେଁ ସାନ୍ତାଳୀରେ ଅନର୍ସ ପାଠ୍ୟକ୍ରମ ଏହି ମହାବିଦ୍ୟାଳୟରେ ଆରମ୍ଭ ହୋଇ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସାନ୍ତାଳି ଲିପିି “ଅଲଚିକି” ର ସ୍ରଷ୍ଟା ଗୁରୁଗଙ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜନ୍ମିତ ଗ୍ରାମ “ଡାଣ୍ତବୋସ୍” ଠାରୁ ରାଇରଙ୍ଗପୁର ମହାବିଦ୍ୟାଳୟ ମାତ୍ର ୬ କି.ମି. ଦୂରରେ ଅବସ୍ଥିତ । ଏପରି ସ୍ଥଳେ ରାଇରଙ୍ଗପୁର ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ନ ଖୋଲିବା ଗୁରୁଗଙ୍ଗେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ଏକ ତୀବ୍ର ଅପମାନ । ଏଣୁ ରାଇରଙ୍ଗପୁର ମହାବିଦ୍ୟାଳୟ କତ୍ତୃପକ୍ଷ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ବାରିପଦାର କୁଳପତି ଓ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅବିଳମ୍ବେ ଏଥିପ୍ରତି ଦୃଷ୍ଟି ଦେଇ ରାଇରଙ୍ଗପୁର ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ପାଠ୍ୟକ୍ରମ ଆରମ୍ଭ କରିବାକୁ ମାସା ଆର୍ମି ପକ୍ଷରୁ ଦୃଢ ଦାବୀ କରାଯାଇଛି ।