Onn 3

ଦିଗପହଣ୍ଡିରେ ଡ଼ବଲ ମର୍ଡର, ୨ ଜଣଙ୍କୁ ହତ୍ୟା କରି ଜାଳି ଦେଲେ ଦୁର୍ବୃତ୍ତ, ଗାଁ ପୁରୁଷଶୂନ୍ୟ

Crime State

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଘଟିଛି ଡବଲ୍ ମର୍ଡର୍। ଆସାମାଜିକଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଗାଁ ଲୋକମାନେ ମିଶି ଦୁଇଜଣ ଯୁବକଙ୍କୁ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ଉଭୟ ଯୁବକଙ୍କ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ି ଦେବାକୁ ଉଦ୍ୟମ କରାଯାଇଛି। ଆଜି ଭୋର୍ରେ ଘଟଣା ଜଣାପଡ଼ିବା ପରେ ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତକମାନେ ହେଲେ ସଦର ଥାନା ଲାଠି ଗାଁ କୁମ୍ଭାରସାହିର ଶିବରାମ ଗୌଡ଼(୩୨) ଓ ପାଢ଼ୀସାହିର ଲିଟୁ ଓରଫ୍ ବିଘ୍ନରାଜ ପୁରୋହିତ(୩୮)। ଶିବରାମଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ ଦିଗପହଣ୍ଡି ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମହୁଡ଼ା ଗାଁର ପ୍ରାୟ ୧୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଏସ୍.ପି. ଡା. ଶରବଣା ବିବେକ ଏମ୍. ସୂଚନା ଦେଇଛନ୍ତି।

ଲାଠି ଗାଁର ଶିବରାମ ତାଙ୍କର ସାଙ୍ଗ ଲିଟୁ ସହିତ ବୁଧବାର ସଂଧ୍ୟାରେ ମହୁଡ଼ା ଗାଁକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ପତ୍ନୀ ଲକି ମହାରଣା ସ୍ବାମୀ ଶିବରାମଙ୍କୁ ଫୋନ୍ କରିଥିଲେ। କାମ ସାରି ଯାଉଛି ବୋଲି ଶିବରାମ କହିଥିଲେ। ପ୍ରାୟ ୧ଘଣ୍ଟା ପରେ ସାଢ଼େ ୧୦ଟା ବେଳେ ପୁଣିଥରେ ଲକି ତାଙ୍କ ସ୍ବାମୀଙ୍କୁ ଫୋନ୍ କରିଥିଲେ। ହେଲେ ସେ ଫୋନ୍ ଉଠାଇ ନଥିଲେ। ଏହାପରେ ତାଙ୍କର ମୋବାଇଲ୍ ବନ୍ଦ ହୋଇଯାଇଥିଲା। ମହୁଡ଼ା ଗାଁରେ କୌଣସି ଅଘଟଣର ଖବର ପାଇ ଦିଗପହଣ୍ଡି ପୁଲିସ ବିଳମ୍ବିତ ରାତିରେ ସେଠାରେ ପହଞ୍ଚିଥିଲା। ଏକ ପୋଖରୀ ନିକଟରେ ଦୁଇଜଣ ଯୁବକଙ୍କ ଦରପୋଡ଼ା ଶବ ଜବତ କରିଥିଲା। ବିଭିନ୍ନ ଲୋକଙ୍କୁ ପଚରାଉଚରା ପରେ ଭୋର୍ ପ୍ରାୟ ୩ଟା ବେଳେ ତାଙ୍କୁ ଦିଗପହଣ୍ଡି ପୁଲିସ ମହୁଡ଼ା ଗାଁକୁ ନେଇଥିଲା। ସେଠାରେ ଦରପୋଡ଼ା ଅବସ୍ଥାେର ପଡ଼ିଥିବା ସ୍ବାମୀଙ୍କ ମୃତଦେହ ଦେଖି ପତ୍ନୀ ଲକି ଭାଙ୍ଗି ପଡ଼ିଥିଲେ। ଘଟଣାସ୍ଥଳରେ ଶିବରାମ ଓ ଲିଟୁଙ୍କ ଦରପୋଡ଼ ମରଶରୀର ପଡ଼ି ରହିଥିଲା। ତେବେ କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ସେ ନେଇ ଲକି କିଛି କହିପାରୁ ନାହାନ୍ତି। ପୁଲିସ ଉଭୟ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।