Onn 3

ଧାନଘର ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ପାଇଁ ପ୍ରାର୍ଥନା କଲେ ଗ୍ରାମବାସୀ

State

ଆଗରପଡ଼ା: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ପୁର୍ବକ ବିହିତ ପଦକ୍ଷେପ ନେବା ନିମନ୍ତେ ଗ୍ରାମବାସୀ ଓ ଅଭିଭାବକ ନିର୍ଦ୍ଦେଶକ ଓସେପାଙ୍କୁ ଚିଠି ମାଧ୍ୟମରେ ପ୍ରାର୍ଥନା କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଡିଏଲସିସି ଭଦ୍ରକଙ୍କ ଆଦେଶ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ ଭଦ୍ରକଙ୍କ କାର୍ଯ୍ୟାଳୟ ଆଦେଶ ନଂ ୩୧୨୨/୧୩.୦୩.୨୦୨୩ରେ ଜିଲ୍ଳା ଶିକ୍ଷାଧିକାରୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ଧାନଘର ଠାରେ ସ୍ଥାପିତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଖୋଲି ସେଠାରେ ପିଲାଙ୍କୁ ଶିକ୍ଷାଦାନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ତରଫରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କରିବା ପାଇଁ ଆଦେଶ ଦେଇଥିଲେ । ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭର ସୁଯୋଗ ପାଇଥିବା ଛାତ୍ରଛାତ୍ରୀ ମାତ୍ର ୩ମାସ ପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଗତ ୧୯ ତାରିଖ ଆଦେଶ ଅନୁସାରେ ପୁଣି ଉକ୍ତ ସୁଯୋଗରୁ ବଂଚିତ ହେବାକୁ ଯାଉଥିବା ଜଣାପଡ଼ିଥିଲା ।

ଏହା ଜଣାପଡ଼ିବା ପରେ ଉକ୍ତ ଗ୍ରାମର ବିକ୍ରମ କେଶରୀ ଦାସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଉକ୍ତ ମାମଲାକୁ ବିଚାରକୁ ନେଇ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପିଲାମାନେ ପୁର୍ବପରି ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭ କରିବେ ବୋଲି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । କିନ୍ତୁ ଇତି ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଗତ ୧୯ ତାରିଖ ଆଦେଶ ଅନୁସାରେ ବ୍ଲକ ଶିକ୍ଷାଧିକାରିଣୀ ଗତ ୨୨ ତାରିଖରେ ବିଦ୍ୟାଳୟ ପରିଚାଳନା କମିଟିକୁ କୌଣସି ସୂଚନା ନଦେଇ ପିଲାଙ୍କ ଶିକ୍ଷାଲାଭପାଇଁ କୌଣସି ବିଭିତ ପଦକ୍ଷେପ ନନେଇ ନିଯୁକ୍ତି ଦେଇଥିବା ଦୁଇଜଣ ଶିକ୍ଷକଙ୍କୁ ଊକ୍ତ ବିଦ୍ୟାଳୟରୁ କାଢିନେଇଥିଲେ । ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ପୂର୍ବକ ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ବିଭାଗୀୟ ଅଧିକାରୀ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ସହ କାଢି ନେଇଥିବା ୨ଜଣ ଶିକ୍ଷକକୁ ପୁନଃ ଅବସ୍ଥାପିତ ପାଇଁ ନିର୍ଦ୍ଦେଶକ ଓସେପା ଆଦେଶ ଦେବାକୁ ଗ୍ରାମବାସୀ ଓ ଅଭିଭାବକ ଚିଠି ମାଧ୍ୟମରେ ପ୍ରାର୍ଥନା କରିଥିବା ଜଣାପଡ଼ିଛି ।