Onn 3

୫ ଦିନିଆ ରିମାଣ୍ଡରେ ଗଲେ ଅତିରିକ୍ତ ଉପ ଜିଲ୍ଲାପାଳ

Crime State

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରାପଡିଥିବା ନବରଙ୍ଗପୁରର  ଅତିରକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡ ପାଇଁ ବୁଧବାର ଅନୁମତି ଦେଇଛନ୍ତି ସୁନ୍ଦରଗଡ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ କୋର୍ଟ । ପ୍ରଶାନ୍ତ ତାଙ୍କ ଆୟଠାରୁ ୫୦୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ । ସେ କେଉଁ ସୂତ୍ରରୁ ଏତେ ସମ୍ପତ୍ତି ଆଣିଲେ ତାହାର ଖୋଳତାଡ କରିବ ଭିଜିଲାନ୍ସ । ଏହା ପୂର୍ବରୁ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପ୍ରଶାନ୍ତ ରାଉତଙ୍କୁ ଦୁଇ ଦିନ ତଳେ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ପ୍ରଶାନ୍ତଙ୍କ ଘରୁ ବିଡା ବିଡା ଟଙ୍କା ଜବତ କରା ଯାଇଥିଲା । ୩ କୋଟିର ନଗଦ କ୍ୟାସ ସମେତ ପ୍ରାୟ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ  । ଏହା ତାଙ୍କ ଆୟର ୫୦୦ ପ୍ରତିଶତ ଅଧିକ ବୋଲି ସୂଚନା ଦେଇଥିଲେ ଭିଜିଲାନ୍ସ ଏସପି ଏମ ରାଧାକ୍ରିଷ୍ଣନ ।

ସୂଚନାଥାଉ କି, ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ାଉ କରାଯାଇଥିଲା ।  କାନନବିହାର ଏଚ୍ଆଇଜି–୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା ।  ଏହି ଟଙ୍କାକୁ ସେ  ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇ ଯାଇଥିଲେ ।   ପ୍ରଶାନ୍ତଙ୍କ ଘରୁ ଭିଜିଲାନ୍ସ  ପ୍ରାୟ   ୩ କୋଟି ଟଙ୍କା ଜବତ କରିଥିଲେ । ଏହାବ୍ୟତୀତ ୫ଟି ପ୍ଲଟ୍, କଟକ ଓ ଭୁବନେଶ୍ୱରରେ ଥିବା ୪ଟି ଏବଂ ନବରଙ୍ଗପୁର ଉମରକୋଟରେ ଥିବା ଗୋଟିଏ ବେନାମୀ ପ୍ଲଟ୍ ଠାବ କରିଛନ୍ତି।  ଭୁବନେଶ୍ୱରର ଇଣ୍ଡସଇଣ୍ଡ ବ୍ୟାଙ୍କରେ ଥିବା ଏକ ଆକାଉଣ୍ଟ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି । ୨୦୧୯ ମସିହାରୁ ପ୍ରଶାନ୍ତ ରାଉତଙ୍କ ଦ୍ୱାରା ୨୧ ଲକ୍ଷ ଟଙ୍କା ସନ୍ଦେହଜନକ ଭାବେ ଏହି ଆକାଉଣ୍ଟରେ ଜମା କରାଯାଇଛି

ଏହାବ୍ୟତୀତ ୪୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଓ ବୀମା ଜମା,  ଦୁଇଟି ଚାରିଚକିଆ ଯାନ ଏବଂ ଗୋଟିଏ ଦୁଇଚକିଆ ଯାନର ମୂଲ୍ୟାୟନ କଲେ ମୋଟ୍ ୩୭  ଲକ୍ଷ ଟଙ୍କା ହେବ । ସୁନା ଓ ରୂପା ଅଳଙ୍କାରର ସହ ଘରକରଣା ସାମଗ୍ରୀକୁ ମିଶାଇଲେ ୨୧ ଲକ୍ଷ ୩୫ ହଜାର ଟଙ୍କାରୁ ଅଧିକ ମୂଲ୍ୟ ରହିଛି । ସେହିପରି ପ୍ରଶାନ୍ତ ରାଉତ ତାଙ୍କ ଝିଅର ଡାକ୍ତରୀ ପାଠପଢା ଏବଂ ତାଙ୍କ ପୁଅର ଶିକ୍ଷା ଖର୍ଚ୍ଚ ପାଇଁ ପ୍ରାୟ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ସୂଚନା ଅନୁୟାୟୀ, ପ୍ରଶାନ୍ତ ରାଉତ ୧୯୯୬ ମସିହା ଜୁଲାଇ ୧ ତାରିଖରେ ଓଏଏସ୍ ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ବରଗଡ଼ ଜିଲ୍ଲାରେ ତହସିଲଦାର ଭାବେ କାର୍ଯ୍ୟ କରିଥିବା ବେଳେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ବିଡିଓ ଭାବେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ୨୦୧୮ ନଭେମ୍ବର ୬ ତାରିଖରେ ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇଥିଲେ। ନିଲମ୍ବନ ପରେ ୨୦୨୦ ଜାନୁଆରି ୧୮ରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା।