Llingaraj Temple

ଲିଙ୍ଗରାଜ ମନ୍ଦିରରେ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ଉପବାସରେ ମହାପ୍ରଭୁ

State

ଭୁବନେଶ୍ୱର: ପୁଣି ଉପବାସରେ ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି । ହାଣ୍ଡିଭଙ୍ଗା ଯାତ୍ରା ପାଳନ ନ ହେବାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଛି । ଲଗାତର ୧୧ ବର୍ଷ ହେବ ପାଳନ ହେଉନି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ଶନିବାର ମଧ୍ୟ ହାଣ୍ଡିଭଙ୍ଗା ଯାତ୍ରା ପାଳନ ହୋଇନାହିଁ । ବଲ୍ଲଭ ଭୋଗ ଅର୍ଥାତ୍‌ ମଧ୍ୟାହ୍ନ ପରଠାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ରହିଛି ।

ଏହି ବିଭ୍ରାଟ କେବଳ ପ୍ରଶାସନର ଅନାଗ୍ରହ କାରଣରୁ ଘଟୁଛି ବୋଲି ଶ୍ରୀଲିଙ୍ଗରାଜ ଓ ଶ୍ରୀକପିଳେଶ୍ୱରଙ୍କ ସେବାୟତ ମାନେ ଅଭିଯୋଗ କରିଛନ୍ତି ।

ପ୍ରଶାସନିକ ଅବହେଳା ପାଇଁ ଏପରି ହେଉଥିବା ଅଭିଯୋଗ ହୋଇଛି l ଶ୍ରୀଲିଙ୍ଗରାଜ ଓ ଶ୍ରୀକପିଳେଶ୍ୱରଙ୍କ ସେବାୟତଙ୍କ ଅଭିଯୋଗ ଅନୁସାରେ, ମହାଶିବରାତ୍ରି ପରେ ପଡ଼ୁଥିବା ଶନିବାରରେ ଶ୍ରୀକପିଳେଶ୍ୱରଙ୍କ ମନ୍ଦିରକୁ ଯାଇଥାନ୍ତି ପ୍ରଭୁ ଲିଙ୍ଗରାଜ । ଏହାକୁ ହାଣ୍ଡଭିଙ୍ଗା ଯାତ୍ରା କୁହାଯାଏ । ଯାହା ଗତ ୨୦୧୫ ପରଠାରୁ ୧୧ ବର୍ଷ ହେଲା ବନ୍ଦ ରହିଛି ।

ପରମ୍ପରା ସ୍ୱାଭାବିକ କରିବା ଲାଗି ଉଚ୍ଚନ୍ୟାୟାଳୟ ଦେବୋତ୍ତର କମିଶନରଙ୍କୁ ଏକାଧିକ ନିର୍ଦ୍ଦେଶ ଦେଲେଣି । ସମସ୍ତ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନର ସହଯୋଗ ନେଇ ଏହି ନୀତିକୁ ସ୍ୱାଭାବିକ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କିନ୍ତୁ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଦିଗରେ ସରକାରୀସ୍ତରରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ । ଫଳରେ ଆବହମାନ କାଳରୁ ବିଧିମତେ ଚାଲିଆସିଥିବା ଶ୍ରୀଜିଉଙ୍କ ୩ ପ୍ରମୁଖ ପରମ୍ପରା ଯଥା, ହାଣ୍ଡିଭଙ୍ଗା ଯାତ, ଚନ୍ଦନ ଓ ଶୀତଳ ଷଷ୍ଠୀ ବିଗତ ୧୧ ବର୍ଷ ଧରି ବନ୍ଦ ହୋଇଯାଇଛି ବୋଲି ଉଭୟ ସେବାୟତ ଅଭିଯୋଗ କରିଛନ୍ତି ।