Onn 3

‘ମହିମା ମଠ ରାଜନୈତିକ ରଣକ୍ଷେତ୍ର ନୁହେଁ, ଟଙ୍କା ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିପାରିବେନି’

Politics State

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡିଛି । ଏଠି ବାବୁମାନେ ପ୍ରତିନିଧି । ବାବୁ ମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳର ଗଁନ୍ଦିଆ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ୯ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦେଶରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବଢିଛି । ମୋଦିଙ୍କ ଶାସନରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଶାସନ ପ୍ରଣାଳୀର ମୂଳ ମନ୍ତ୍ର ହୋଇଛି ଏବଂ ଓଡ଼ିଶା ପୂର୍ବୋଦୟ, ଗରିବ କଲ୍ୟାଣ ଓ ଶାସନ ପ୍ରଣାଳୀର ପ୍ରୟୋଗଶାଳା ହୋଇଛି । ଗରିବ କଲ୍ୟାଣକାରୀ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ପ୍ରତି ପରିବାର ଲାଭବାନ ହୋଇଛନ୍ତି । କିନ୍ତୁ ଆଜି ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ଶାସନ ଉପରେ ପ୍ରଶ୍ନ କଲେ ଶାସକ ଦଳର ସାମନ୍ତବାଦ ଲୋକମାନେ ଗାଳିମନ୍ଦ କରୁଛନ୍ତି । ମୋଦିଜୀଙ୍କ ମାର୍ଗଦର୍ଶନରେ ଅନୁଗୋଳ ଓ ଢେଙ୍କାନାଳରେ ବିକାଶ ହୋଇଛି କି ନାହିଁ, ତାହା ଲୋକ କହୁଛନ୍ତି ଏବଂ ଗଁନ୍ଦିଆର ଏହି ବିଶାଳ ଜନ ସମାବେଶ ତାହାର ବଡ ପ୍ରମାଣ ଦେଉଛି । ଏଥିପାଇଁ ଶାସକ ଦଳର ସାର୍ଟିଫିକେଟ୍ ଦରକାର ନାହିଁ ।

ମହିମା ମଠରେ ପାନୀୟ ଜଳର ସୁବିଧା କରିବା ପାଇଁ ଓଏନଜିସି ତରଫରୁ ପ୍ରାୟ ୧୬ କୋଟି ଟଙ୍କାର ବ୍ୟବସ୍ଥା କରାଯିବା ପରେ ମଧ୍ୟ ସେହି ପ୍ରକଳ୍ପକୁ ରାଜ୍ୟ ସରକାର ଭୁଲିଗଲେ । ମହିମା ମଠ ମୋ ପାଇଁ ରାଜନୈତିକ ରଣକ୍ଷେତ୍ର ନୁହେଁ । ଯେଉଁମାନେ ଭାବୁଥିବେ ମୋଟା ଅଙ୍କର ଅର୍ଥ ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିନେବେ, ତେବେ ସେମାନେ ଭୁଲ୍ ଭାବୁଛନ୍ତି । ହୁଏତ ଏହି ଅଞ୍ଚଳର ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ଇତିହାସ ବିଷୟରେ ସେମାନେ ଅନଭିଜ୍ଞ । ଏହି ମାଟି ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉ, ନାଧରା ରାମଚଣ୍ଡୀଙ୍କ ମାଟି । ବୀର ସାରଙ୍ଗଧର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ, ବାଜି ରାଉତ, ମୂଷା ମଲିକ,ମହେଶ ଚନ୍ଦ୍ର ସୁବାହୁ ସିଂଙ୍କ ପୁଣ୍ୟ ଭୂମି ।

ଯେଉଁ ମହାଶୟ ଦୀର୍ଘ ୨୩ ବର୍ଷ ଶାସନରେ ରହିବା ପରେ ବି ମହିମା ଗୋସାଇଁଙ୍କ ପାଦଦେଶକୁ ଥରେ ସମର୍ପଣ ଦେବା ପାଇଁ ଆସିନାହାନ୍ତି ସେ ତାଙ୍କ ମେରୁଦଣ୍ଡହୀନ ଗୁମାସ୍ତାଙ୍କୁ ଟଙ୍କା ଦେଇ ଆସିବା ପାଇଁ ପଠାଉଛନ୍ତି । ସେମାନେ ଜାଣି ରଖିବା ଉଚିତ୍ ଯେ ଏହି ମାଟିର ସ୍ୱାଭିମାନୀ ଜନତା ବଳିଦାନ ଦେଇଦେବ ପଛେ ମାତ୍ର ଦେଶ ମାତୃକାର ସ୍ୱାଭିମାନ ପାଇଁ କେବେ ବୁଝାମଣା କରିବ ନାହିଁ । ଅପରପକ୍ଷରେ ଆଜି ମହିମା ଗୋସାଇଁ ଓ ସନ୍ଥ କବି ଭୀମ ଭୋଇଙ୍କ ବାର୍ତ୍ତାକୁ ବିଶ୍ୱ ସ୍ତରରେ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହୋଇଛି । ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାଁରେ ନାମିତ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଢେଙ୍କାନାଳର ୪୫ ବର୍ଷର ଅଭିମନ୍ୟୁ ବେହେରା ଘର ନଥିବାରୁ ଅଭିଯୋଗ କରୁଛନ୍ତି । ପିଏମ ଆବାସରେ ତାଙ୍କ ପାଇଁ ଆସିଥିବା ଘର କୁଆଡେ ଗଲା? ଗଁନ୍ଦିଆ ଅନ୍ତର୍ଗତ କେଶରଦା ଅଞ୍ଚଳର କୁନି ପୂର୍ତ୍ତି, ମାଟି ପୂର୍ତ୍ତି, ଲତା ଖଟୁଆଙ୍କ ଭଳି ଜନଜାତି ସମ୍ପ୍ରଦାୟର ଲୋକମାନେ ଗ୍ରାମରେ ରାସ୍ତାଘାଟ ଠିକ୍ ନଥିବା ପାଇଁ ଅଭିଯୋଗ କରୁଛନ୍ତି । ଏଥିପାଇଁ ମୋଦି ଦେଉଥିବା ଟଙ୍କା ଯାଉଛି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି  କେନ୍ଦ୍ରମନ୍ତ୍ରୀ।