Onn 3

ମଣିପୁରରେ ବିଜେପିର ରଣନୀତି କାମ ଦେବ ନାହିଁ: ଖଡ଼ଗେ

National & International

ଇମ୍ଫାଲ: ରାଜ୍ୟ ସରକାର ଏବଂ ସେନାର ସହଯୋଗରେ ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଏସବୁ ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଣିପୁରର ସଦ୍ୟତମ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଖଡ଼ଗେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରକୁ ନେଇ ଚିନ୍ତିତ ତେବେ ତେବେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ପ୍ରଥମେ ହଟାଇ ଦିଆଯାଉ। ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ସରକାର ମଣିପୁରର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ତେବେ ଏଥର ବିଜେପିର ପ୍ରଚାର ଭିତ୍ତିକ ରଣନୀତି ଲୁଚାଯାଇ ପାରିବ ନାହିଁ | ଅର୍ଥାତ ମଣିପୁର ସମସ୍ୟାର ସମାଧାନ ପାଇଁ ବିଜେପିର ରଣନୀତି କାମ ଦେବ ନାହିଁ |
ଖଡ଼ଗେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଖବର ଅଛି ଯେ ଶେଷରେ ଗୃହମନ୍ତ୍ରୀ ମଣିପୁର ସ୍ଥିତି ବାବଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି। ଗତ ୫୫ ଦିନ ଧରି ମୋଦୀ ଜୀ ମଣିପୁର ସ୍ଥିତିକୁ ନେଇ କିଛି କହିନାହାନ୍ତି । ତାଙ୍କର ‘ମଣିପୁର କି ବାତ’ ଶୁଣିବାକୁ ସାରା ଦେଶ ଅପେକ୍ଷା କରିଛି। ଏହା ସହ ଖଡ଼ଗେ ମୋଦୀଙ୍କୁ ଏସବୁ କରିବାକୁ ଆହ୍ୱାନ କରିଛନ୍ତି | ଖଡ଼ଗେ ଲେଖିଛନ୍ତି ଯେ ଯଦି ମୋଦୀ ଜୀ ପ୍ରକୃତରେ ମଣିପୁର ବିଷୟରେ ଚିନ୍ତା କରୁଥାନ୍ତି, ତେବେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ। ଆତଙ୍କବାଦୀ ସଂଗଠନ ଚୋରି କରିଥିବା ଅସ୍ତ୍ରଶସ୍ତ୍ର ଜବତ କରନ୍ତୁ | ସମସ୍ତ ଦଳ ସହିତ ଆଲୋଚନା ଆରମ୍ଭ କରନ୍ତୁ | ସୁରକ୍ଷା ବାହିନୀ ସହାୟତାରେ ଅବରୋଧ ଜାତୀୟ ରାଜପଥକୁ ଖୋଲନ୍ତୁ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧତା ନିଶ୍ଚିତ କରନ୍ତୁ | ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ୍, ପୁନର୍ବାସ ଏବଂ ଜୀବିକା ପାଇଁ ଏକ ପ୍ୟାକେଜ୍ ବିଳମ୍ବ ନକରି ଘୋଷଣା କରନ୍ତୁ |