Onn 3

ଆବଶ୍ୟକ ହେଲେ ସୀମା ସେପଟେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛେଇବନି ଭାରତ : ରାଜନାଥ

National & International

ଜମ୍ମୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଭାରତ ଆଉ ପୂର୍ବ ପରି ନାହିଁ । ନିଜର ସୀମାର ସୁରକ୍ଷା କରିବାକୁ ଭାରତ ସୀମା ସେପଟେ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛେଇବନି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।
ଜମ୍ମୁ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ ମୋଦୀ ସରକାର ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାରଷ୍ଟ୍ରାଇକର ଉଦାହରଣ ଦେଇ ସେ ଏହା କହିଥିଲେ । ପୁଲଓ୍ବାମା ଓ ଉରି ଆକ୍ରମଣ ଦୁର୍ଭାଗ୍ୟଜନକ ଘଟଣା ଥିଲା । କିନ୍ତୁ ସର୍ଜିକାଲ ଷ୍ଟ୍ରାଇକ୍ ସଂପର୍କରେ ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ମାତ୍ର ୧୦ ମିନିଟ ନେଇଥିଲେ, ଯାହାକି ତାଙ୍କର ଦୃଢ ଇଚ୍ଛାଶକ୍ତିକୁ ଦର୍ଶାଏ ବୋଲି ସେ କହିଛନ୍ତି ।

ଆତଙ୍କବାଦ ଏହି ଦେଶରେ ହଜାର ହଜାର ନିରୀହ ଲୋକଙ୍କ ଜୀବନ ନେଇଛି। ଦୁର୍ଭାଗ୍ୟବଶତଃ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଶକ୍ତିକୁ ଉଚିତ ଜବାବ ଦେବାରେ ବିଳମ୍ବ ହୋଇଥିଲା । କେବଳ ବିଳମ୍ବ ନୁହେଁ, ୟୁପିଏ ସରକାର ଯେତିକି ପ୍ରଭାବଶାଳୀ ପଦକ୍ଷେପ ନେବା କଥା ତାହା କରିପାରିନଥିଲେ । ଏପରିକି ଆମେ ଥରେ ପାକିସ୍ତାନକୁ ଆତଙ୍କବାଦ ପ୍ରଭାବିତ ଦେଶ ଭାବରେ ବିଚାର କରିବାର ଭୁଲ କରିଥିଲୁ । କିନ୍ତୁ ଏବେ ମୋଦୀଙ୍କ ନେତୃତ୍ବରେ ଭାରତ ବଦଳିଯାଇଛି ଓ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଉ ନାହାନ୍ତି ।