Onn 3

ସରକାରୀ ଗୋଚରଜମିକୁ ବଳପୂର୍ବକ ଅକ୍ତିଆର ପ୍ରସଙ୍ଗ, ଉପଜିଲ୍ଲାପାଳଙ୍କ ଠାରେ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

State

ଆଗରପଡ଼ା:ଗ୍ରାମର ସରକାରୀ ଗୋଚର ଜମିକୁ ବଳପୂର୍ବକ ଅକ୍ତିଆର କରି ସେଥିରେ ବାସପଯୋଗି ଘର ସାଙ୍ଗକୁ ବ୍ୟବସାୟୀକ କୁକୁଡ଼ା ଫାର୍ମ ନିର୍ମାଣ କରିବା ନେଇ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ; ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ପାରାବନ୍ଧ ଗ୍ରାମର ବସନ୍ତ ତ୍ରିପାଠୀଙ୍କ ପୁଅ ଅରବିନ୍ଦ ଗ୍ରାମର ଉତ୍ତର ପୂର୍ବରେ ଥିବା ଗୋଚର ଜମିକୁ ଦୀର୍ଘ ଦିନ ଧରି ବାଡ଼ ଘେରି ସେଥିରେ ସରକାରୀ ଯୋଜନାରେ ମୋ ପୋଖରୀ ଖୋଳିବା ସହ ଧିରେ ଧିରେ ବାସପଯୋଗି ଘର ଓ ବ୍ୟବସାୟୀକ କୁକୁଡ଼ା ଫାର୍ମ (୫୦୦୦ କୁକୁଡ଼ା ବିଶିଷ୍ଟ)କରି ଚାଲିଛନ୍ତି ।

ଉକ୍ତ ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ୱ ଗୋ ସମ୍ପଦ ତଥା ୨୦୦ ଛେଳିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୋଚର ଜମିକୁ ବଳ ପୂର୍ବକ ନିଜ ଅକ୍ତିଆରକୁ ନେଇ ସେଥିରେ ନିଜ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ପ୍ରକାର ବେସରକାରୀ କାର୍ଯ୍ୟ କରୁଛନ୍ତି ଶ୍ରୀ ତ୍ରିପାଠୀ । ଏହାକୁ ବିରୋଧ କଲେ ଗ୍ରାମବାସୀଙ୍କୁ ସେ ଭୟଭୀତ କରିବା ସହ ସେମାନଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ କରୁଛନ୍ତି । ଗ୍ରାମସଭା ମାଧ୍ୟମରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଚେଷ୍ଟାକଲେ ସେମାନେ ସରକାର ଯେବେ ଆମକୁ ଉଚ୍ଛେଦ କରିବେ ଆମେ ଉଠିବୁ ବୋଲି କହି ଗ୍ରାମସଭାକୁ ମଧ୍ୟ ବର୍ଜନ କରୁଛନ୍ତି । ରାଜସ୍ୱ ନିରୀକ୍ଷକ ଛୟାଳସିଂହ ଓ ତହସିଲଦାର,ବନ୍ତ ଙ୍କ ନିକଟରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ସେମାନେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ଏକ କିତା ନକଲ ରାଜସ୍ୱ ନିରୀକ୍ଷକ ଛୟାଳସିଂହ,ତହସିଲଦାର ବନ୍ତ,ସରପଂଚ,ଆଗରପଡ଼ା ଥାନା ଅଧିକାରିଣୀ ଓ ଗୋ ରକ୍ଷକ ସଂଗଠନକୁ ପଠାଇଥିବା ଜଣାପଡ଼ିଛି ।