Onn 3

ମୋଦୀଙ୍କୁ ନୈଶ ଭୋଜିରେ ଆପ୍ୟାୟିତ କଲେ ବାଇଡେନ୍‌ ଦମ୍ପତି

National & International

ୱାଶିଂଟନ୍‌ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପକ୍ଷରୁ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ନୈଶ ଭୋଜି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବର ମହୋତ୍ସବରେ ପରିଣତ ହୋଇଥିବା ଲକ୍ଷ୍ୟ କରାଯାଇଛି। ବାଇଡେନ୍‌ ନିଜେ ମଧ୍ୟ ବନ୍ଧୁତ୍ବର ଏହି ବନ୍ଧନକୁ ମନଭରି ପାଳନ କରିଥିବା ସ୍ବୀକାର କରିଛନ୍ତି। ଏଥିରେ ବିମୋହିତ ମୋଦୀ କହିଛନ୍ତି ଯେ ଭାରତ-ଆମେରିକା ବନ୍ଧୁତ୍ବ ଖୁବ୍‌ ଦୃଢ଼ ଓ ସୁଦୂରପ୍ରସାରୀ। ନୈଶ ଭୋଜି ଅବସରରେ ମୋଦୀ ଓ ବାଇଡେନ୍‌ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ବୈଶ୍ବିକ ସମସ୍ୟା, ଦ୍ବିପାକ୍ଷିକ ସମ୍ପର୍କ, ବୈଷୟିକ ଜ୍ଞାନକୌଶଳ, ଆତଙ୍କବାଦର ମୁକାବିଲା ଆଦି ସ୍ଥାନ ପାଇଥିଲା। ଆତଙ୍କବାଦ ସମଗ୍ର ମାନବ ଜାତିର ଶତ୍ରୁ ଏବଂ ଏହାର ମୁଳୋତ୍ପାଟନରେ କେହି ଆଗପଛ ଚିନ୍ତା କରିବା ଅନୁଚିତ ବୋଲି ମୋଦୀ କହିଥିଲେ। ଭାରତର ବିଦେଶ ସଚିବ ବିନୟ କ୍ବାତ୍ରା ମୋଦୀଙ୍କ ଗସ୍ତର ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ଓ ଏହାର ନିଷ୍କର୍ଷ ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି।
ବାଇଡେନ୍‌ ଓ ପତ୍ନୀ ଜିଲ୍‌ ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌ର ଦକ୍ଷିଣ ଲନ୍‌ର ସୁସଜ୍ଜିତ ମଣ୍ଡପରେ ଅନୁଷ୍ଠିତ ନୈଶ ଭୋଜିକୁ ସ୍ବାଗତ କରିଥିଲେ। ଭୋଜିରେ ବିଭିନ୍ନ ବର୍ଗର ୪୦୦ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ସାମିଲ ହୋଇଥିଲେ। ଉପରାଷ୍ଟ୍ରପତି କମଳା ହ୍ୟାରିସ୍‌ଙ୍କ ସହ ଗୁଗୁଲ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ଆପଲ୍‌ ସିଇଓ ଟିକ୍‌ କୁକ୍‌, ଇନ୍ଦ୍ରା ନୁଇ, ଏଡୋବ୍‌ ସିଇଓ ଶାନ୍ତନୁ ନାରାୟଣ,, ମାନବାଧିକାର ପ୍ରବକ୍ତା ମାର୍ଟିନ୍‌ ଲୁଥର କିଙ୍ଗ-୩, ଟେନିସ ତାରକା ବିଲି ଜିନ୍‌ କିଙ୍ଗ, ଚଳଚ୍ଚିତ୍ର ନିର୍ମାତା ଏମ୍‌. ନାଇଟ୍‌ ଶ୍ୟାମଲନ୍‌, ଫେସନ ଡିଜାଇନର ରାଫ୍‌ ଲରେନ୍‌, ଜୋସୁଆ ବେଲ୍‌, ବ୍ୟବସାୟୀ ଫ୍ରାଙ୍କ ଇସଲାମ, ପୂର୍ବତନ ବାଚସ୍ପତି ନାନ୍ସି ପାଲୋସି ପ୍ରମୁଖ ଉପସ୍ଥିତ ଥିଲେ। ମୋଦୀ ଭାରତ ସହ ବନ୍ଧୁତ୍ବ ଉତ୍ସବରେ ଶାସକ ଓ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ସହ ଏତେ ସଂଖ୍ୟକ ଅତିଥିଙ୍କୁ ଏକତ୍ର ପାଇ ଖୁବ୍‌ ପ୍ରଶଂସା କରିଥିଲେ। ଦୁଇ ଦେଶର ବନ୍ଧୁତ୍ବକୁ ଦେଖି ସେ ବିସ୍ମିତ ବୋଲି କହିଥିଲେ। ମୋଦୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ସାଦା ଖାଦ୍ୟ ପ୍ରସ୍ତୁତ ହୋଇଥଲାବେଳେ ଏଥିରେ ମାଣ୍ଡିଆ ଯାଉ, ମକା ସାଲାଡ, ଛତୁ, ଷ୍ଟ୍ରବେରୀ କେକ୍‌, ତରଭୁଜ ଇତ୍ୟାଦି ବହୁବିଧ ସ୍ବାଦିଷ୍ଟ ଭୋଜନ ରହିଥିଲା। ଆମିଷରେ ସାମୁଦ୍ରିକ ଖାଦ୍ୟ ପରବେଷଣ କରାଯାଇଥିଲା। ପୂର୍ବ ରାତିରେ ବାଇଡେନ୍‌ ଦମ୍ପତି ଘରୋଇ ଭାବେ ମୋଦୀଙ୍କୁ ରାତ୍ରି ଭୋଜନରେ ଆପ୍ୟାୟିତ କରିଥିଲେ। ଏଥିରେ ବାଇଡେନ୍‌ଙ୍କ ଝିଅ, ଜ୍ବାଇଁ ଓ ନାତୁଣୀ, ନାତୁଣୀ ଜ୍ବାଇଁଙ୍କ ସହ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

ମୋଦୀ ହିନ୍ଦୀରେ ଆୟୋଜନ ଓ ଆତିଥ୍ୟର ପ୍ରଶଂସା କରି କହିଥିଲେ, ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ଉଚ୍ଚକୋଟୀର। ପରସ୍ପର ନିଜର ନାମକୁ ଠିକ୍‌ ଭାବେ ଉଚ୍ଚାରଣ କରିପାରୁଛେ। ଆମେରିକାବାସୀ ନାଟୁନାଟୁ ଗୀତରେ ନାଚି ପାରୁଥିଲାବେଳେ ଭାରତୀୟ ପିଲା ସ୍ପାଇଡରମ୍ୟାନ୍‌ ହୋଇପାରୁଛନ୍ତି। ଭାରତୀୟମାନେ ଅତ୍ୟନ୍ତ ବୁଦ୍ଧିମାନ। ‘ଦୁଇ ପରମ ବନ୍ଧୁ ଏବେ ଦୁଇ ମହାଶକ୍ତିରେ ପରିଣତ ହୋଇଥିବା’ ବାଇଡେନ୍‌ କହିଲାବେଳେ ମୋଦୀ ଏହାର ଜବାବରେ କହିଥିଲେ ଯେ ‘ଆପଣ କମ୍‌ କହନ୍ତି; କିନ୍ତୁ ଆପଣଙ୍କ କାମ ଅତ୍ୟନ୍ତ ଦୃଢ଼’। ଉତ୍ସବରେ ହଲିଉଡ୍‌ ସଙ୍ଗୀତ ଓ ବାଦ୍ୟଯନ୍ତ୍ର ସହିତ ଲତା ମଙ୍ଗେସକର ଓ କିଶୋର କୁମାର କଣ୍ଠଦାନ କରିଥିବା ପ୍ରସିଦ୍ଧ ବଲିଉଡ୍‌ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଇଥିଲା। ସ୍ବଭାଭସୁଲଭ ଢ଼ଙ୍ଗରେ ଅତିଥିମାନଙ୍କ ସହ କୌତୁକ କରି ସେ କହିଥିଲେ, ‘ଆପଣମାନେ ସଙ୍ଗୀତର ତାଳେ ତଳେ ନାଚୁଛନ୍ତି, ମୁଁ ବି ଗୀତ ଗାଇପାରେ, ଆପଣମାନଙ୍କ ସମ୍ମୁଖରେ ଏବେ ଗାଇପାରିବି। ମୋର ଏଥିପାଇଁ ଇଚ୍ଛା ହେଉଛି।’ ଏହି ଅବସରରେ ସେ ପୁରୁଣା ସ୍ମୃତିର ମଧ୍ୟ ସ୍ମରଣ କରିଥିଲେ। ସୂଚନାଯୋଗ୍ୟ ଯେ ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ବ କାଳରେ ମୋଦୀ ତୃତୀୟ ରାଷ୍ଟ୍ରମୁଖ୍ୟ ଭାବେ ସ୍ବତନ୍ତ୍ର ଆତିଥ୍ୟ ଲାଭ କରିଛନ୍ତି। ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ୍‌, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟୋଲ୍‌ ଏହି ସମ୍ମାନ ଲାଭ କରିଥିଲେ। ମୋଦୀ ରେକର୍ଡ ଦ୍ବିତୀୟ ଥର ପାଇଁ ଆମେରିକା କଂଗ୍ରେସର ମିଳିତି ଅଧିବେଶନରେ ଉଦ୍‌ବୋଧନ ଦେଲାବେଳେ ୭୯ଥର କରତାଳି ହୋଇଥିଲାବେଳେ ସାଂସଦମାନେ ୧୫ଥର ନିଜ ଆସନରେ ଛିଡ଼ା ହୋଇ ସମ୍ମାନ ଜଣାଇଥିଲେ। ଏହି ଗସ୍ତ ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ଏକାଧିକ ଐତିହାସିକ ରାଜିନାମା ସ୍ବାକ୍ଷର ହୋଇଛି। ଶୁକ୍ରବାର ଗସ୍ତର ଶେଷ ସନ୍ଧ୍ୟାରେ ମୋଦୀ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏଥିସହିତ ମଧ୍ୟାହ୍ନରେ ଉପରାଷ୍ଟ୍ରପତି କମଳା ହ୍ୟାରିସ୍‌ ଓ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ଆମେରିକୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ୧୨୦୦ ବ୍ୟବସାୟୀ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି। ମୋଦୀଙ୍କ ବିଦାୟୀ କାର୍ଯ୍ୟକ୍ରମରେ ହଲିଉଡ୍‌ ତାରକା ମେରୀ ବିଲ୍‌ବେନ୍‌ ସଙ୍ଗୀତ ପରିବେଷଣ କରିଛନ୍ତି। ପୂର୍ବରୁ ସେ ଭାରତର ଜାତୀୟ ସଙ୍ଗୀତ ଏବଂ ଜୟ ଜଗଦୀଶ ହରେ… ଗାନକରି ପ୍ରଶଂସିତ ହୋଇଛନ୍ତି।