Onn 3

ବ୍ଲକ ପ୍ରଶାସନର ଦାୟୀତ୍ୱ ହୀନତା, ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ନେଇ ଆଶଙ୍କା

State

ନିଶ୍ଚିନ୍ତକୋଇଲି: ସାଧାରଣରେ କୁହାଯାଏ ସରକାରୀ କା ମାଲ ଦରିଆ ମେ ଡାଲ । ଏହାର ଏକ ନଗ୍ନ ଉଦାହରଣ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି । ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଦାୟୀତ୍ୱ ହୀନତା ସର୍ବୋପରି କର୍ତବ୍ୟରେ ଚରମ ଅବହେଳା କାରଣରୁ ଏହି ବ୍ଲକ ଅଂଚଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଂଚାୟତ ଭାରତ ନିର୍ମାଣ ସେବା କେନ୍ଦ୍ର ନିମନ୍ତେ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ସ୍ଥାନୀୟ ନତକାଇ ଗ୍ରାମର ଦଳିତ ଶିକ୍ଷକ ନେତା ବଟକୃଷ୍ଣ ବେହେରାଙ୍କ ନାମରେ ଥିବା ଏକ ବ୍ୟକ୍ତିଗତ ଜମି ଉପରେ ଏହି ଗୃହ ନିର୍ମାଣ କରାଯାଇଥିଲା । ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଗୃହ ନିର୍ମାଣ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି । ଶ୍ରୀ ବେହେରାଙ୍କର କୌଣସି ଗୃହ ନଥିବା କାରଣରୁ ତାଙ୍କର ସପରିବାର ଏହି ସେବାକେନ୍ଦ୍ରରେ ରହୁଥିବାର ଜଣାଯାଇଛି । ଏହି ଘଟଣାକୁ ନେଇ ଶ୍ରୀ ବେହେରା ଓ ବ୍ଲକ ପ୍ରଶାସନ ମୁହଁ ମୁହିଁ ହୋଇଛନ୍ତି । ଏସମ୍ପର୍କରେ ମାମଲା ନ୍ୟାୟାଳୟରେ ବିଚାରାଧିନ ରହିଛି ।

ସେହିପରି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଫଗୋଳ ଗ୍ରାମପଂଚାୟତ ଜଗନ୍ନାଥପୁର-୨ ଅଙ୍ଗନୱାର୍ଡି କେନ୍ଦ୍ର ନିମନ୍ତେ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଗ୍ରାମର ଦଳିତ ଭୈରବ ବେହେରାଙ୍କ ବ୍ୟକ୍ତି ମାଲିକାନାରେ ଥିବା ଜମି ଉପରେ ଏହି ଅଙ୍ଗନୱାର୍ଡି କେନ୍ଦ୍ର ନିର୍ମାଣ କରାଯାଇଥିଲା । ଦୀର୍ଘ ବର୍ଷ ହେଲା ଶ୍ରୀ ବେହେରା ଏହି ଅଙ୍ଗନୱାର୍ଡିକୁ ଜବରଦଖଲ କରି ରଖିଥିବାର ଜଣାଯାଇଛି । ଫଳରେ ଜଗନ୍ନାଥପୁର-୨ ଅଙ୍ଗନୱାର୍ଡି ଗୃହ ନଥିବା କାରଣରୁ କୋମଳମତି ଶିଶୁ ମାନେ ଶିକ୍ଷାଲାଭ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ସେହିପରି ଭାବେ କଟରପଡା ଗ୍ରାମପଂଚାୟତ ସାଙ୍କିଲୋ ଠାରେ ଥିବା ଅନନ୍ୟା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନାମରେ ଥିବା ଜମି ଉପରେ ପ୍ରଶାସନ ତରଫରୁ ମନରେଗା ଯୋଜନାରେ ୩ ଲକ୍ଷ ୮୦ ହଜାର ଟଙ୍କା ବିନିଯୋଗ କରାଯାଇ ଗୃହ ନିର୍ମାଣ କରାଯାଇଥିଲା । ପୁନର୍ବାର ବ୍ଲକ ପ୍ରଶାସନ ତରଫରୁ ଚତୁରତାର ସହ ଏହି ଗୃହ ଉପରେ ୫ ଲକ୍ଷ ଟଙ୍କା ବ୍ୟୟରେ ମହିଳା ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା ।

ଏହି ଗୃହ ନିର୍ମାଣକୁ କେନ୍ଦ୍ରକରି ସ୍ଥାନୀୟ ଗ୍ରାମପଂଚାୟତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅନନ୍ୟା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଅନନ୍ୟା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ଗୃହକୁ କବଜା କରି ତାଲା ପକାଇ ରଖିବା କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବ୍ଲକ ପ୍ରଶାସନର ଦାୟୀତ୍ୱ ହୀନତା ଯୋଗୁ ଏହି ବ୍ଲକ ର ବହୁ ପ୍ରକଳ୍ପ ରେ ବିନିଯୋଗ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏସମ୍ପର୍କରେ ମତାମତ ନେବା ନିମନ୍ତେ ଆମ ପ୍ରତିନିଧି ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟାଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ମୋବାଇଲକୁ ଏକାଧିକବାର କଲ କରିଥିଲେ ମଧ୍ୟ ସେ କଲ ଗ୍ରହଣ ନକରିବା କାରଣରୁ ତାଙ୍କର ମତାମତ ନେବା ସମ୍ଭବପର ହୋଇପାରିନାହିଁ ।