Onn 3

ଥାନା ବାହାରେ ବିରୋଧ କରୁଥିବାରୁ ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଗିରଫ କଲା ପୁଲିସ

National & International

ଜୟପୁର: ଗତ କିଛି ଦିନ ହେବ ରାଜସ୍ଥାନର ଅଶୋକ ନଗର ପୁଲିସ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଆଜି ପୁଲିସ ଗିରଫ କରିଛି। ତେବେ ମୀନା ଗିରଫ ହେବା ପରେ ତାଙ୍କର ବହୁ ସଂଖ୍ୟକ ସମର୍ଥକ ଏବେ ଥାନା ବାହାରେ ଉପସ୍ଥିତ ଅଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ବିଜେପି ସାଂସଦ ଅଭିଯୋଗ କରିଥିଲେ ଯେ ଖଣି ବିଭାଗରେ ପ୍ରାୟ ୬୬ ହଜାର କୋଟି ଟଙ୍କା ଠକେଇ ହୋଇଛି। ଯେଉଁଥିରେ ୨୭ ହଜାର କୋଟି ଟଙ୍କାର ଖଣିଜ ପଦାର୍ଥ, ୨୦ ହଜାର କୋଟି ଟଙ୍କାର ପଥର, କୋଇଲା ରହିଛି | ଏନେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓ ଏଫଆଇଆର ଦାଖଲ କରିବାକୁ ମୀନା ଅଶୋକ ନଗର ଥାନାକୁ ଯାଇଥିଲେ |
ତେବେ ସେଠାରେ ତାଙ୍କ ଏଫଆଇଆର ଗ୍ରହଣ ନ କରାଯିବାରୁ ସେ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ | ଜୟପୁରର ଅଶୋକ ନଗର ପୁଲିସ ଷ୍ଟେସନ ସମ୍ମୁଖରେ ବିଜେପି ସାଂସଦ ଧାରଣା ଦେବା ସହ ପୁଲିସର ନିଷ୍କ୍ରିୟତା ନେଇ ନାରାବାଜି କରିଥିଲେ। ଗତକାଲି ବିଜେପି ଅଧ୍ୟକ୍ଷ ସିପି ଯୋଶୀ ମଧ୍ୟ ଧାରଣା ସ୍ଥଳକୁ ଆସିଥିଲେ | ଏହା ସହ ବିରୋଧୀ ଦଳର ନେତା ରାଜେନ୍ଦ୍ର ରାଥୋଡ଼ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହା ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ ଏବଂ ଆଜି ତାଙ୍କୁ ଗିରଫ କରାଯାଇଛି।
ଆଜି ସକାଳ ୯ଟାବେଳେ ସାଂସଦ କିରୋଡି ଲାଲ ମୀନା କିଛି ସମୟ ପାଇଁ ଧାରଣାସ୍ଥଳରୁ ଉଠିଥିବାବେଳେ ପୁଲିସ ପିକେଟିଂ କରି ସ୍ଥାନକୁ ଘେରି ରହିଥିଲା ​​ଏବଂ ପାର୍କିଂ ହୋଇଥିବା ଗାଡିଗୁଡ଼ିକୁ କ୍ରେନ୍ ଦ୍ୱାରା ଉଠାଇ ଜବତ କରାଯାଇଥିଲା। ଏନେଇ ସାଂସଦଙ୍କ ସହ ପୁଲିସ କର୍ମୀଙ୍କର ପାଟିତୁଣ୍ଡ ହୋଇଥିଲା | ଏହାପରେ ପୁଲିସ ମୀନାଙ୍କୁ ଗିରଫ କରି ସେଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଚାକସୁ ପୁଲିସ ଷ୍ଟେସନକୁ ନେଇଥିଲା। ଯେଉଁଠାରେ ତାଙ୍କ ସମର୍ଥକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି।