Onn 3

ଶରଧାବାଲିରେ ତିନି ରଥ: ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ

Religion and Cult State

ପୁରୀ: ଅବଶେଷରେ ବିଶ୍ୱନିୟନ୍ତା ଲୀଳାମୟ ମହାପ୍ରଭୁ ନିଜ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶରଧାବାଲିରେ ପହଞ୍ଚିଛନ୍ତି। ମଙ୍ଗଳବାର ଅପରାହ୍‌ଣ ୩ଟା ୪ ମିନିଟରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ଏବେ ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। କାଲି ଶରଧାବାଲିରେ ଲାଗିଥିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହୋଇଛି। ଶ୍ରଦ୍ଧାଳୁମାନେ ମନପ୍ରାଣ ଦେଇ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି। ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ। ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା।

ଉଲ୍ଲେଖଯୋଗ୍ୟ, ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଶରଧାବାଲି ଆଡ଼କୁ ଟାଣି ନେଇଥିଲେ। ମଙ୍ଗଳବାର ଅପରାହ୍‌ଣ ୪ଟା ୪୦ରେ ନନ୍ଦିଘୋଷ, ୩ଟା ୫୫ରେ ଦର୍ପଦଳନ ଏବଂ ୩ଟା ୪ ମିନିଟରେ ତାଳଧ୍ବଜ ଶରଧାବାଲି ଅଭିମୁଖେ ଗଡ଼ିଥିଲା। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିବା ଆରମ୍ଭ କରିଦେଇଥିଲେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡ଼ିଥିଲା।

ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅସହ୍ୟ ହୋଇପଡ଼ିଛି। ପୁରୀରେ ପ୍ରବଳ ଖରାକୁ ଗୁଳୁଗୁଳିକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଥିଲେ। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ‌ପ୍ରକୋପ ପ୍ରଭାବିତ କରିପାରି ନାହିଁ। ଏହା ପୂର୍ବରୁ ରଥଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିବା ପରେ ଚାରମାଳ ଫିଟା ଯାଇଥିଲା। ଘୋଡ଼ା ଓ ସାରଥି ‌ଲଗାଯାଇଥିଲା।