Onn 3

ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ

State

ଭୁବନେଶ୍ୱର : ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁରରେ ୨୨ ତାରିଖରୁ ଖୋଲିବ । ଏଇ ୩ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଅଧିକ ହେଉଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ଦୁଇ ଜିଲ୍ଲାର ଜିଲ୍ଲାପାଳ। ଏଇ ଦୁଇ ଜିଲ୍ଲାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ପାଠପଢା ହେବ। ଏଠାରେ ୬ଟାରୁ ୧୦ଟା ଯାଏଁ ଚାଲିବ ପାଠପଢା। ପରେ ୨୬ ତାରିଖରୁ ନିୟମିତ ପାଠପଢା ହେବ ବୋଲି କୁହାଯାଇଛି।

ସେହିପରି ସୁବର୍ଣ୍ଣପୁର, ବରଗଡ଼, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ରେ ଖୋଲିବ ସ୍କୁଲ । ୨୬ ତାରିଖ ଯାଏ ସେସବୁ ଜିଲ୍ଲାରେ ସକାଳୁଆ କ୍ଲାସ୍‌ ହେବ । ସକାଳ ସାଢ଼େ ୬ଟାରୁ ୧୦ଟା ଯାଏ ପାଠପଢ଼ା ଚାଲିବ । ସକାଳ ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ୨୬ରୁ ନିୟମିତ ସମୟ ଅନୁସାରେ ଚାଲିବ ସ୍କୁଲ ।

ସୂଚନାଯୋଗ୍ୟ, ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଜୁନ୍ ୧୯ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା।