Onn 3

ଏନଡିଏରେ ଯୋଗ ଦେଲା ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା

National & International

ଦିଲ୍ଲୀ/ପାଟନା : ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାବେଳେ ଦେଶରେ ରାଜନୈତିକ କାର୍ଯ୍ୟକଳାପ ବଢିଚାଲିଛି । ଗୋଟିଏ ପଟେ ବିରୋଧୀ ଦଳ ଆସନ୍ତା ୨୩ ତାରିଖରେ ପାଟନାରେ ଏକାଠି ହେଉଥିବାବେଳେ ତାହାର ଦୁଇଦିନ ପୂର୍ବରୁ ବିରୋଧୀ ଏକତାକୁ ଏକ ଧକ୍କା ଦେଇଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହା ।
ଦୁଇଦିନ ପୂର୍ବେ ବିହାର ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମ୍ ମୋର୍ଚ୍ଚା (ହମ୍) ଏନଡିଏରେ ଯୋଗ ଦେଇଛି । ବୁଧବାରଦିନ ନୂଆଦିଲ୍ଲୀଠାରେ ଜିତନରାମ ଓ ତାଙ୍କ ପୁଅ ସନ୍ତୋଷ ସୁମନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ସାକ୍ଷାତ ପରେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା ଏନଡିଏରେ ଯୋଗ ଦେବା ସମ୍ପର୍କରେ ସନ୍ତୋଷ ଘୋଷଣା କରିଥିଲେ ।
ଏହି ବୈଠକ ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ କହିଛନ୍ତି ଯେ ଆମେ ଆନୁଷ୍ଠାନିକ ଭାବେ ଏନଡିଏରେ ଯୋଗ ଦେଇଛୁ । ଅମିତ ଶାହାଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ପରେ ଆସନ ବୁଝାମଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ମାଝୀ କହିଛନ୍ତି। ମହାମେଣ୍ଟରୁ ଅଲଗା ହେବା ପରେ ମାଝୀଙ୍କ ଦଳ ପୁଣି ଥରେ ଏନଡିଏରେ ସାମିଲ ହେବ ବୋଲି ବିଶ୍ୱାସ କରାଯାଉଥିଲା ।
ବିହାର ବିଧାନସଭାରେ ଏବେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚାର ୪ ବିଧାୟକ ଅଛନ୍ତି । ସେହିପରି ବିହାର ବିଧାନ ପରିଷଦରେ ଏହିଦଳର ଜଣେ ସଦସ୍ୟ ଅଛନ୍ତି ।