Onn 3

ଭାରତରେ ପ୍ରସ୍ତୁତ ୭ କଫ୍ ସିରପକୁ ନିଷିଦ୍ଧ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

National & International

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ସମଗ୍ର ବିଶ୍ୱରେ ୩୦୦ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ୍ ସିରପକୁ ଦାୟୀ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଫଳରେ ଭାରତରେ ପ୍ରସ୍ତୁତ ୭ଟି କଫ ସିରପ (କାଶ ଔଷଧ)କୁ ନିଷିଦ୍ଧ କରିବା ସହ ଏସବୁ ଉତ୍ପାଦନ କରୁଥିବା କମ୍ପାନିଙ୍କୁ କଳାତାଲିକାଭୁକ୍ତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।
ଏହା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ ନକଲି ଔଷଧ ଉପରେ ଜିରୋ ଟଲେରେନ୍ସ ନୀତି ରହିଛି । ଔଷଧର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ବିଶ୍ଳେଷଣ କରାଯାଉଛି। ଔଷଧର ଗୁଣବତ୍ତାକୁ ନେଇ ଭାରତ କେବେ ବି ବୁଝାମଣା କରିବ ନାହିଁ। ନକଲି ଔଷଧ ଯୋଗୁଁ ଯେପରି କାହାର ମୃତ୍ୟୁ ନ ହୁଏ ସେଥିପାଇଁ ଆମେ ସବୁବେଳେ ସଜାଗ ରହିଛୁ ।
ଅନ୍ୟପକ୍ଷରେ ଏହି କଫ ସିରପ୍ ଯୋଗୁଁ ହିଁ ଗାମ୍ବିଆରେ ୬୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଡବ୍ଲ୍ୟୁଏଚ୍ଓ ସ୍ପଷ୍ଟ କରିଛି । ସଂଗଠନରୁ ମିଳିଥିବା ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ କମ୍ପାନି ଓ ନିୟାମକ କର୍ତ୍ତୃପକ୍ଷ ଏହି କମ୍ପାନୀଗୁଡ଼ିକର ଯାଞ୍ଚ କରୁଛନ୍ତି ।

ସୂଚନା ଅନୁଯାୟୀ, ଭାରତ ଓ ଇଣ୍ଡୋନେସିଆରେ କଫ ସିରପ୍ ଏବଂ ଭିଟାମିନ୍ ତିଆରି କରୁଥିବା ୨୦ଟି କମ୍ପାନିର ତଦନ୍ତ କରୁଛି ଡବ୍ଲୁଏଚ୍ଓ । ଏହାର ଜଣେ ଅଧିକାରୀ କହିଛନ୍ତି ଯେ ସେସବୁ କମ୍ପାନିଙ୍କ ପ୍ରସ୍ତୁତ ଔଷଧର ବିସ୍ତୃତ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ସେଥିରେ ଡାଇଥିଲିନ୍ ଗ୍ଲାଇକୋଲ ଏବଂ ଇଥିଲିନ୍ ଗ୍ଲାଇକୋଲର ମାତ୍ରା ଧାର୍ଯ୍ୟମାତ୍ରାଠାରୁ ଅଧିକ ରହିଛି । ଗତ ବର୍ଷ ଏହି ଔଷଧ ସେବନ କରି ଗାମ୍ବିଆରେ ୬୬ ଜଣ ଶିଶୁ କିଡନୀ ଫେଲ୍ ହେବା କାରଣରୁ ମୃତ୍ୟୁବରଣ କରିଥିଲେ ।