Onn 3

ଭାରତରେ ବିଶ୍ବକପ ଖେଳିବାକୁ ପାକିସ୍ତାନ ମନା କରୁ : ମିଆଁଦାଦ୍

National & International sports

କରାଚୀ : ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଭାରତରେ ହେବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ କରିବାକୁ ନିଜ ଦଳକୁ ଅନୁମତି ଦେଇନାହିଁ। ଏହି କାରଣରୁ ଆଇସିସି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କାର୍ଯ୍ୟସୂଚୀ ଘୋଷଣା କରିପାରିନାହିଁ। ସେପଟେ ପାକିସ୍ତାନର ପୂର୍ବତନ ଖେଳାଳି ଜାଭେଦ ମିଆଁଦାଦ ପୁଣି ଥରେ ଭାରତକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ।
ମିଆଁଦାଦ ପାକିସ୍ତାନୀ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ କ୍ରିକେଟରେ ରାଜନୀତି ଆଣିବା ଉଚିତ ନୁହେଁ । କିନ୍ତୁ ଭାରତ ପାକିସ୍ତାନ ଆସିବାକୁ ରାଜି ନୁହେଁ। ଏଭଳି ସ୍ଥିତିରେ ପାକିସ୍ତାନ ମଧ୍ୟ ବିଶ୍ବକପ ମ୍ୟାଚ୍ ଖେଳିବାକୁ ଯିବା ଉଚିତ ନୁହେଁ। ପାକିସ୍ତାନ କ୍ରିକେଟ ଭାରତଠାରୁ ବଡ଼, କାରଣ ପାକିସ୍ତାନ ସବୁବେଳେ ବଡ଼ କ୍ରିକେଟର ତିଆରି କରିଆସିଛି । ଭାରତ ଯଦି ପାକିସ୍ତାନ ନ ଆସିବାକୁ ଚାହୁଁଛି, ତେବେ ଭାରତ ନର୍କକୁ ଯାଉ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦେଶକୁ ବରବାଦ୍ କରିବାରେ ଲାଗିଛନ୍ତି । ଦିନ ଆସିବ ଭାରତର ଲୋକମାନେ ହିଁ ତାଙ୍କୁ ବାହାର କରିଦେବେ । ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ରହିଲେ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଧୁରିବ ବୋଲି ସେ କହିଛନ୍ତି । କିନ୍ତୁ ମୋଦୀ ଅଲଗା ଦିଗରେ ଯାଉଛନ୍ତି ।