Onn 3

ପଞ୍ଚଭୂତରେ ବିଲୀନ ହେଲେ ଡେପୁଟି ରେଞ୍ଜର

State

ରାଇରଙ୍ଗପୁର: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ନିଜ ପ୍ରିୟଜନର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଗାଁଟା ସାରା ସମସ୍ତଙ୍କ ଆଖିରେ ଲୁହ। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଟିଙ୍ଗିରିଆ ଗ୍ରାମର ବନକର୍ମଚାରୀ ମିଥାୟ ହାଁସଦାଙ୍କ ମୃତ୍ୟୁ ପରର ଦୃଶ୍ୟ । ଏହି ଦୃଶ୍ୟ ବୟାନ କରୁଥିଲା ମିଥାୟ ହାଁସଦାଙ୍କୁ କେତେ ଭଲ ପାଉଥିଲେ ସଭିଏଁ । ତାଙ୍କର ଅକାଳ ମୃତ୍ୟୁ ଭାଙ୍ଗିଦେଇଛି ସମସ୍ତଙ୍କୁ । ରାସ୍ତା ଘାଟ ସବୁଠି ଲୋକାରଣ୍ୟ । ନିଜ କର୍ତ୍ତବ୍ୟ ନିଜ କର୍ମ ଆଗରେ ତାଙ୍କୁ ଆଜି ଜୀବନ ଦେବାକୁ ପଡିଛି । ତେବେ ମିଥାୟ ଜଣେ ମେଳାପୀ, ମିଷ୍ଟଭାଷି, ପରପକାରୀ ଲୋକ ଥିଲେ । ଏଭଳି ଲୋକଙ୍କୁ ହରାଇ ଗାଁ ରେ ଏବେ ଶୋକରଛାୟା ଖେଳିଯାଇଛି।

ଏପଟେ ପାରମ୍ପରିକ ରୀତିନୀତିରେ ନିଜ ଜନ୍ମ ମାଟିରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଡେପୁଟି ରେଞ୍ଜର ମିଥାୟ ହାଁସଦା । ଏଖବର ପାଇବା ପରେ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହିତ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଆର୍ଥିକ କ୍ଷତି ପୂରଣ ସହ ପରିବାର ର ଜଣଙ୍କ ପାଇଁ ଚାକିରି ଦାବି କରିଥିଲେ ପରିବାର ଲୋକେ । ତେବେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସରକାରୀ ଗାଇଡଲାଇନ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଲେ ମନ୍ତ୍ରୀ ପ୍ରଦୀପ ଅମାତ ।

ସୂଚନା ମୁତାବକ, ଗତ ଶୁକ୍ରବାର ରାତି । ଶିମିଳିପାଳ ଅଭୟାରଣ୍ୟରେ ପୁଣି ମାତିଥିଲେ ଶିକାରୀ । ସେହି କାଳ ରାତିରେ ବନକର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ସହ ହୋଇଥିଲା ମୁହାଁମୁହିଁ ଗୁଳି ଚାଳନା । ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ବନ କର୍ମଚାରୀ ମିଥାୟ ହାଁସଦା । ସେ କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡାରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିଲେ। ତେବେ ଏପଟେ ପ୍ରଶ୍ନ ଉଠୁଛି ଶିକାରୀଙ୍କ ଉପଦ୍ରବ ଆଉ କେତେ ଦିନ? ଆଉ କେତେ ବନକର୍ମଚାରୀଙ୍କ ହରାଇବାକୁ ପଡିବ ଏମିତି ଜୀବନ? ଏଦିଗରେ ତୁରନ୍ତ ପଦକ୍ଷପ ଗ୍ରହଣ କରିବା ସହିତ ଅଭିଯୁକ୍ତଙ୍କୁ ଧରି କଠୋର ଦଣ୍ଡବିଧାନ କରିବା ନିହାତି ଜରୁରୀ ।